ସାଉଦି ଆରବ: ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇ ବି ମନରୁ ଲିଭିନି ଓଡ଼ିଶାର ମାଟି, ଭାଷା ଓ ସଂସ୍କୃତିର ମହକ। ପ୍ରବାସରେ ଓଡ଼ିଆ ପରମ୍ପରାର ଏମିତି ଏକ ମନୋରମ ଝଲକ ଦେଖିବାକୁ ମିଳିଛି ସାଉଦି ଆରବରେ। ଓଡ଼ିଆ ସଂଗଠନ ‘ଉତ୍କଳିକା’ର ବାର୍ଷିକ ଉତ୍ସବ ନଭେମ୍ବର ୨୭ ତାରିଖରେ ଆନନ୍ଦ, ଉତ୍ସାହ ଓ ଉତ୍କଳୀୟ ଭାବନାର ସହ ପାଳିତ ହୋଇଯାଇଛି। ଓଡ଼ିଆ ଗୀତ, ନୃତ୍ୟ ଓ ପରମ୍ପରାରେ ଉତ୍ସବସ୍ଥଳ ପାଲଟିଥିଲା ଏକ ମିନି ଓଡ଼ିଶା।
ଅତିଥିଙ୍କ ଉପସ୍ଥିତିରେ ଆରମ୍ଭ ହେଲା ସମାରୋହ
ଏହି ଉତ୍ସବରେ ଶ୍ରୀ ଗିରିଜା ନନ୍ଦନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଶ୍ରୀ ଫିରୋଜ ଖାନ୍ ଓ ଶ୍ରୀ ଅନିଲ ମାଲପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରିୟାଦର ROSA ଏବଂ ଦମ୍ମାମର Kalingan ସଂଗଠନର ପ୍ରତିନିଧିଙ୍କ ଉପସ୍ଥିତି ଉତ୍ସବରେ ଭାଇଚାରାର ନୂଆ ରଙ୍ଗ ଭରିଥିଲା।
ଶ୍ରୀ ପ୍ୟାରୀମୋହନ ସଭାର ଶୁଭାରମ୍ଭ କରିବା ପରେ ପାରମ୍ପରିକ ଦୀପ ପ୍ରଜ୍ୱଳନ ହୋଇଥିଲା। ଏହାପରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ୱରରେ ମୁଖରିତ ହୋଇଥିଲା ସମଗ୍ର ପରିବେଶ।
ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଶାର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସହ ସମ୍ବଲପୁରୀ ନୃତ୍ୟର ମନମୁଗ୍ଧକର ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। କୁନି କୁନି ପିଲାଙ୍କ ନୃତ୍ୟ, ବଡ଼ ପିଲାଙ୍କ ପରିବେଷଣ ଏବଂ ଦମ୍ପତି ନୃତ୍ୟ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା। ବିଶେଷକରି ସାଉଦିରେ ବଢ଼ୁଥିବା ନୂଆ ପିଢ଼ିର ପିଲାମାନେ ଓଡ଼ିଆ ସଂସ୍କୃତି ସହ ଜଡ଼ିତ ରହି ନିଜ ପ୍ରତିଭା ପ୍ରଦର୍ଶନ କରିବା ସମସ୍ତଙ୍କୁ ଖୁସି କରିଥିଲା।
LED ଭିଜୁଆଲ୍ସ ଓ ମଞ୍ଚ ସଂଚାଳନରେ ନୂଆ ଆକର୍ଷଣ
କାର୍ଯ୍ୟକ୍ରମକୁ ଆଧୁନିକ ଓ ଆକର୍ଷଣୀୟ କରିବାରେ ପ୍ରତାପ ଗାର୍ଡିଆ, ସସ୍ମିତା ଦାସ ଓ ପ୍ରଦୀପ ବାରୁଙ୍କ ଦ୍ୱାରା ପ୍ରସ୍ତୁତ LED କ୍ଲିପ୍ ଓ ଭିଜୁଆଲ୍ସ ବିଶେଷ ଭୂମିକା ନେଇଥିଲା। ଅନ୍ୟପଟେ ଉମାକାନ୍ତ ପାଢ଼ୀ ଓ ସଂଯୁକ୍ତା ପାଢ଼ୀଙ୍କ ସହ ଶବାନା ଅଞ୍ଜୁମ ଓ ରଶ୍ମିତା ସେନାପତିଙ୍କ ସୁନ୍ଦର ମଞ୍ଚ ସଂଚାଳନ ଉତ୍ସବର ମାହୋଲକୁ ଆହୁରି ଜୀବନ୍ତ କରିଥିଲା।
ପ୍ରବାସରେ ଏକାଠି ହେଲେ ଓଡ଼ିଆ ପରିବାର
ଉତ୍କଳିକାର ବରିଷ୍ଠ ସଦସ୍ୟ ଉମାକାନ୍ତ ପାଢ଼ୀ, ଜୟନ୍ତ ମହାପାତ୍ର, ମହେଶ୍ୱର ଜେନା ଓ ସରୋଜ କୁମାର ପାତ୍ରଙ୍କ ସମେତ ବହୁ ସଦସ୍ୟ ଓ ସେମାନଙ୍କ ପରିବାର ଉତ୍ସବରେ ସାମିଲ ହୋଇଥିଲେ। ରିୟାଦର ROSA, ଜୁବେଲର Kalingan ଏବଂ ସାଉଦି ଆରବର ବିଭିନ୍ନ ସ୍ଥାନରୁ ଆସିଥିବା ଓଡ଼ିଆ ପରିବାରଙ୍କ ମିଳନ ଏହାକୁ ଏକ ବୃହତ୍ ପାରିବାରିକ ଉତ୍ସବର ରୂପ ଦେଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ଜୟନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରବାସରେ ଓଡ଼ିଆ ଅସ୍ମିତାର ବାର୍ତ୍ତା
ଉତ୍କଳିକାର ଏହି ବାର୍ଷିକ ଉତ୍ସବ କେବଳ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ନଥିଲା; ବରଂ ଏହା ଥିଲା ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା ଓ ଅସ୍ମିତାର ଏକ ସୁନ୍ଦର ମିଳନ ମଞ୍ଚ। ପ୍ରବାସରେ ରହି ମଧ୍ୟ ନିଜ ମାଟିର ପରିଚୟକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଏହି ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।