ପୁରୀ: ବଡ଼ଦାଣ୍ଡରେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ଶ୍ରୀକ୍ଷେତ୍ର ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ସୋନୁ। ସିଂହଦ୍ୱାରରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଆଗକୁ ତାଙ୍କର ନୂଆ ଫିଲ୍ମ 'ନନ୍ଦୀ'ର କାମ ଆରମ୍ଭ ହେବାକୁ ଯାଉଛି। ଏହି ଫିଲ୍ମରେ ସୋନୁ ସୁଦ୍ ନିଜେ ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିବେ। ଏକ ବଡ଼ କାମ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ପୁରୀ ଆସିଥିବା କହିଛନ୍ତି ସୋନୁ।
ଏହି ଅବସରରେ କରୋନା ମହାମାରୀ ସମୟର ସ୍ମୃତି ମଧ୍ୟ ମନେ ପକାଇଛନ୍ତି ସେ। ସେତେବେଳେ କେରଳରୁ କେନ୍ଦ୍ରାପଡ଼ାକୁ ପ୍ରାୟ ୧୭୦ ଜଣ ପିଲାଙ୍କୁ ଫେରାଇ ଆଣିବା ଘଟଣାକୁ ମନେ ପକାଇ ଓଡ଼ିଶା ସହ ତାଙ୍କର ଗଭୀର ସମ୍ପର୍କ ଥିବା କହିଛନ୍ତି।
ସୋନୁଙ୍କ କହିବା ଅନୁଯାୟୀ, ଓଡ଼ିଶାବାସୀଙ୍କୁ ସେ ନିଜ ପରିବାର ଭଳି ମନେ କରନ୍ତି। ଭୁବନେଶ୍ୱର ଓ ଓଡ଼ିଶାବାସୀଙ୍କ ସହ ତାଙ୍କର ଏକ ଆତ୍ମୀୟ ସମ୍ପର୍କ ରହିଛି। ଜଗନ୍ନାଥଙ୍କ ଦର୍ଶନ ପରେ ତାଙ୍କର ଏହି ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।