ଅନୁଗୁଳ: ଦଇବ ଦାଉ ସାଧିଲା, ଗୋଟିଏ ଦିନରେ ଛାରଖାର ହୋଇଗଲା ହସଖୁସିର ସଂସାର। ବାପାଙ୍କ ମୃତ୍ୟୁର ଦୁଃଖରୁ ପରିବାର ମୁକୁଳି ନଥିବା ବେଳେ ଚାଲିଗଲା ୧୫ ବର୍ଷର ପୁଅର ଜୀବନ। ବାପାଙ୍କ ଜୁଇ ନଲିଭୁଣୁ ପୁଅର ମୃତ୍ୟୁ ଖବର ସମଗ୍ର ଗାଁକୁ ସ୍ତବ୍ଧ କରିଦେଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ ଘଟିଛି।
ମୃତକଙ୍କ ନାମ ଆଦିତ୍ୟ ସାହୁ। ସୂଚନା ଅନୁଯାୟୀ, ଆଦିତ୍ୟଙ୍କ ବାପା ନରହରି ସାହୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ନରହରିଙ୍କ ମୃତ୍ୟୁ ହୋଇଥିଲା।
ବାପାଙ୍କ ମୃତଦେହ ଗାଁକୁ ଆସିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପରିବାର ଓ ସମ୍ପର୍କୀୟମାନେ ଏହି ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଆଉ ଏକ ଅଘଟଣ ଘଟିଥିଲା।
ବାପାଙ୍କ ଶବ ସତ୍କାର ପରେ ଆଦିତ୍ୟ ସମ୍ପର୍କୀୟଙ୍କ ସହ ଗାଁର ଅମୃତ ସରୋବର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧୋଇବା ସମୟରେ ହଠାତ୍ ସେ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ଉପସ୍ଥିତ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।
ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟଙ୍କୁ ପାଣିରୁ ଉଦ୍ଧାର କରିଥିଲା। ତୁରନ୍ତ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ପଟେ ସ୍ୱାମୀଙ୍କୁ ହରାଇ ପରିବାର ଶୋକରେ ଥିବା ବେଳେ ଅନ୍ୟପଟେ ନାବାଳକ ପୁଅକୁ ହରାଇବାର ଦୁଃଖ ସମସ୍ତଙ୍କୁ ମର୍ମାହତ କରିଛି।
ଖବର ପାଇ ବାଗଡ଼ିଆ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏନେଇ ପୋଲିସର ଆଧିକାରିକ ପ୍ରତିକ୍ରିୟା ମିଳିପାରିନାହିଁ।