କଟକ: ସାମାନ୍ୟ ବଚସାରୁ ଭୟଙ୍କର ଗୋଷ୍ଠୀ ସଂଘର୍ଷ। ଢେଲାପଥର ମାଡ଼ରେ ଚାଲିଗଲା ଜଣଙ୍କ ଜୀବନ। କଟକ ପୁରୀଘାଟ ଥାନା ଅନ୍ତର୍ଗତ ଗଣେଶ ଘାଟ ଅଞ୍ଚଳରେ ଦୁଇ ସାହି ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଚାଞ୍ଚଲ୍ୟ। ମୃତକ ହେଉଛନ୍ତି ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ ଓରଫ ବୁଲୁ। ଏହି ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତ ଶୁକ୍ରବାର (ନଭେମ୍ବର ୨୭) ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ସନ୍ସାଇନ୍ ଗ୍ରାଉଣ୍ଡ ଓ ଗଣେଶ ଘାଟ ଛକ ନିକଟରେ ଏହି ଘଟଣା ଘଟିଥିଲା। ପୁରୀଘାଟ ବୁରୁଜ ସାହି ଓ ଗଣେଶ ଘାଟ ସାମଲ ସାହିର ଯୁବକଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଏକ ମଦ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ଓ ପରେ ଠେଲାପେଲା ହୋଇଥିଲା। ଦେଖୁ ଦେଖୁ ଏହା ଉଗ୍ର ରୂପ ନେଇଥିଲା।
ଉଭୟ ପକ୍ଷ ପରସ୍ପର ଉପରକୁ ଢେଲାପଥର, ଇଟା ଓ କାଚ ବୋତଲ ମାଡ଼ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏପରିକି କିଛି ଦୋକାନ ଓ ଗାଡ଼ି ଭଙ୍ଗାରୁଜା ହୋଇଥିବା ମଧ୍ୟ ଜଣାପଡ଼ିଛି।
ଖବର ପାଇ କଟକ ଡିସିପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି।
ଅନ୍ୟପଟେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗଣେଶ ଘାଟ ଛକରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି। ଘଟଣାସ୍ଥଳରେ ଏକାଧିକ ପୁଲିସ ଟିମ୍ ମୁତୟନ ଅଛନ୍ତି।