କଟକ : କଟକ ବାଲିଯାତ୍ରାରୁ ଦୋଳି କଟକଣା ହଟିଛି ଏବଂ କଡ଼ା ସୁରକ୍ଷା ଯାଞ୍ଚ ସର୍ତ୍ତରେ ପୁଣିଥରେ ଦୋଳି ଚଳାଇବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି।
ପ୍ରତ୍ୟେକ ଦୋଳିର ଫିଟନେସ୍ ଓ ଯାନ୍ତ୍ରିକ ସୁରକ୍ଷା ଯାଞ୍ଚ କରାଯିବା ପରେ ହିଁ ଚଳାଇବାକୁ ଅନୁମତି ମିଳିଛି। ନିଶାସକ୍ତ ବ୍ୟକ୍ତି ଏବଂ ଛୋଟ ଶିଶୁମାନଙ୍କୁ ବଡ଼ ଦୋଳିରେ ବସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ନିୟମ ପାଳନ ତଦାରଖ କରିବା ପାଇଁ ଦୋଳି ନିକଟରେ ପୋଲିସ ଫୋର୍ସ ମୁତୟନ ରହିବେ।
ଦୋଳି ମାଲିକମାନେ ପ୍ରଶାସନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ମାନିବାକୁ ବାଧ୍ୟ ରହିବେ।
ଗତକାଲି ରାତିରେ ବାଲିଯାତ୍ରା ପଡ଼ିଆରେ ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ପ୍ରଶାସନ ସାମୟିକ ଭାବେ ସମସ୍ତ ଦୋଳି ଖେଳ ବନ୍ଦ କରିଥିଲା। ତେବେ ବ୍ୟବସାୟୀ ଏବଂ ଦର୍ଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ କଟକଣା ହଟାଇବା ସହ ନୂତନ ସୁରକ୍ଷା ମାର୍ଗଦର୍ଶିକା ଜାରି କରିଛନ୍ତି।