ଭୁବନେଶ୍ୱର: ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ପୂର୍ବତନ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ୍ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ। ଖଣି ନୀତି, ଖଣି ନିଲାମ ଏବଂ ରାଜ୍ୟର ରାଜସ୍ୱ ଆଦାୟ ପ୍ରସଙ୍ଗରେ ପୂର୍ବ ସରକାରର କାର୍ଯ୍ୟଶୈଳୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ୧୮ ବର୍ଷ ଧରି ନବୀନ ସରକାର ଶୋଇ ରହିଥିଲେ ବୋଲି କଟାକ୍ଷ କରିଛନ୍ତି ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ଏମ୍ଏମ୍ଡିଆର୍ (MMDR) ଆଇନ ଆସିବା ପରେ ହିଁ ପୂର୍ବ ସରକାରଙ୍କ ନିଦ ଭାଙ୍ଗିଥିଲା। ଓଡ଼ିଶାର କ୍ଷତିକୁ ନେଇ ବିରୋଧୀ ଯେଉଁ ହିସାବ ଦେଉଛନ୍ତି, ତାହା ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଭଳି ବୋଲି ସେ ଅଭିଯୋଗ କରିଛନ୍ତି।
କଳିଙ୍ଗନଗର ଘଟଣାକୁ ନେଇ ବିଜେଡିକୁ ଘେରିଲେ
ପୂର୍ବ ସରକାରର ଶାସନକାଳରେ ଘଟିଥିବା କଳିଙ୍ଗନଗର ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇ ମନ୍ତ୍ରୀ ବିଜେଡିକୁ କଡ଼ା ସମାଲୋଚନା କରିଥିଲେ। ଏହି ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଥିବା କଥା ଉଲ୍ଲେଖ କରି ସେ କହିଥିଲେ ଯେ, ପୂର୍ବ ସରକାର ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଥିଲେ, ଆମ ସରକାର ସେଭଳି କାର୍ଯ୍ୟ କରିନାହାନ୍ତି।
ଖଣି ନିଲାମ ଓ ରାଜସ୍ୱ ଆଦାୟକୁ ନେଇ ରଖିଲେ ତଥ୍ୟ
ଖଣି କ୍ଷେତ୍ରରେ ଓଡ଼ିଶାର ଅବଦାନ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ଦେଶର ମୋଟ ଖଣିଜ ଉତ୍ପାଦନର ୩୮ ପ୍ରତିଶତରୁ ଅଧିକ ଓଡ଼ିଶାରୁ ଆସୁଛି। ରାଜ୍ୟର ଖଣିଜ ସମ୍ପଦ ଅର୍ଥନୀତିକୁ ମଜବୁତ କରିବାରେ ବଡ଼ ଭୂମିକା ନେଉଛି।
ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ପରଠାରୁ ପୂର୍ବ ସରକାର ଅମଳରେ ଗୋଟିଏ ମଧ୍ୟ ଖଣି ନିଲାମ ହୋଇନଥିଲା। ବର୍ତ୍ତମାନର ସରକାର ଦାୟିତ୍ୱ ନେବା ପରେ ପର୍ଯ୍ୟାୟକ୍ରମେ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖଣି କ୍ଷେତ୍ରରୁ ୩ ଲକ୍ଷ ୫୩ ହଜାର ୫୨୮ କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ। ସେହିପରି ଓଆର୍ଏସ୍ଇସି (ORSEC) ଆଇନ ପ୍ରସଙ୍ଗ ଉଠାଇ ଏହା ଲାଗୁ ହୋଇଥିଲେ ମଧ୍ୟ ଓଡ଼ିଶା ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତା ବୋଲି ସେ ମତ ରଖିଥିଲେ।
ସିଏଜି ରିପୋର୍ଟ ଆଧାରରେ ବିଜେଡିକୁ ନିଶାନା
ଖଣି କ୍ଷେତ୍ରରେ ଅନିୟମିତତା ଓ ପୂର୍ବ ସରକାରଙ୍କ କାର୍ଯ୍ୟକଳାପ ପ୍ରସଙ୍ଗରେ ମନ୍ତ୍ରୀ ସିଏଜି (CAG) ରିପୋର୍ଟର ଉଦାହରଣ ଦେଇଥିଲେ। ଏହାକୁ ଆଧାର କରି ବିଜେଡି ସରକାରର ଖଣି ପରିଚାଳନା ଓ ନୀତିକୁ ସେ ସମାଲୋଚନା କରିଥିଲେ।
ମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ
ଖର୍ଚ୍ଚ ଦାବି ଆଲୋଚନା ସମୟରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ କଂଗ୍ରେସ ବିଧାୟକ ରାଜନ ଏକ୍କା ଏବଂ ତାରା ବାହିନୀପତି ମନ୍ତ୍ରୀଙ୍କ ମତକୁ ବିରୋଧ କରିଥିଲେ। ମନ୍ତ୍ରୀ ନିଜର ପକ୍ଷ ରଖୁଥିବା ସମୟରେ ବିରୋଧୀ ଦଳର ସଦସ୍ୟମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ। ଏହାକୁ ନେଇ ବିଧାନସଭାରେ ଖଣି ନୀତି ଓ ପୂର୍ବ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ରାଜନୈତିକ ତାତି ବଢ଼ିଥିଲା।