ଲଣ୍ଡନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେବା ସହିତ ୟୁରୋପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ୧ ଲକ୍ଷ ରିଜର୍ଭ ସୈନିକଙ୍କୁ କହିଛି ଯେ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ। ବ୍ରିଟିଶ ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ନୌସେନାର ଘାତକ ସବ୍ମାରିନ୍ଗୁଡ଼ିକୁ ଅପଗ୍ରେଡ୍ କରିବା ପାଇଁ ୮ ବିଲିୟନ ପାଉଣ୍ଡର ବିପୁଳ ଅର୍ଥରାଶି ଖର୍ଚ୍ଚ କରାଯିବ। ଏହାଦ୍ୱାରା ସବ୍ମାରିନ୍ଗୁଡ଼ିକର ଉପଲବ୍ଧତା ଏବଂ ସେଗୁଡ଼ିକର ପ୍ରସ୍ତୁତି ମଧ୍ୟ ବଢ଼ିବ। ଏହାଦ୍ୱାରା ବ୍ରିଟେନର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବ ଏବଂ ଜାତୀୟ ସୁରକ୍ଷା ସୁଦୃଢ଼ ହେବ। ଶୀତଳଯୁଦ୍ଧ ଶେଷ ହେବା ପରେ ଏହା ପ୍ରଥମ ଥର, ଯେତେବେଳେ ବ୍ରିଟେନ ରିଜର୍ଭ ସୈନିକମାନଙ୍କୁ ଯୁଦ୍ଧ ପାଇଁ ଡକାଇଛି।
ମନେକରାଯାଉଛି ଯେ ବ୍ରିଟେନ ଏହା ଜରିଆରେ ଋଷକୁ କଡ଼ା ସନ୍ଦେଶ ଦେବାକୁ ଚେଷ୍ଟା କରିଛି। ବ୍ରିଟିଶ ଗଣମାଧ୍ୟମ ମୁତାବକ ୧ ଲକ୍ଷ ରଣନୈତିକ ରିଜର୍ଭ ସୈନିକଙ୍କୁ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚିଠି ମିଳିଛି। ସେମାନଙ୍କୁ ତାଲିମ ଏବଂ ସମରାଭ୍ୟାସରେ ଅଂଶଗ୍ରହଣ କରିବା ପାଇଁ ଅଫର୍ ଦିଆଯାଇଛି। ଏହି ଚିଠି ବ୍ରିଟେନର ତିନୋଟି ଯାକ ସେନା ଶାଖା— ଆର୍ମି (ସ୍ଥଳସେନା), ଏୟାରଫୋର୍ସ (ବାୟୁସେନା) ଏବଂ ନେଭି (ନୌସେନା) କୁ ପଠାଯାଇଛି। ବ୍ରିଟେନର ତିନୋଟି ଯାକ ସେନାର ମୁଖ୍ୟମାନେ ଏହି ଚିଠିଗୁଡ଼ିକରେ ସ୍ୱାକ୍ଷର କରିଛନ୍ତି। ରିଜର୍ଭ ସୈନିକମାନଙ୍କଠାରୁ ସେମାନଙ୍କର ମୋବାଇଲ୍ ନମ୍ବର ଏବଂ ସେମାନଙ୍କ ଚାକିରି ତଥା ଦକ୍ଷତା (Skill) ବିଷୟରେ ସୂଚନା ମଗାଯାଇଛି।
ନାଟୋକୁ ମଜବୁତ କରିବା ପାଇଁ ବ୍ରିଟେନର ପ୍ଲାନ୍
ବ୍ରିଟେନ ସରକାର କହିଛନ୍ତି ଯେ ସବ୍ମାରିନ୍ ଅପଗ୍ରେଡ୍ କରିବା ଦେଶର ଯୁଦ୍ଧ କ୍ଷମତାକୁ ବଢ଼ାଇବା ପାଇଁ କରାଯାଇଛି। ବ୍ରିଟେନ ସରକାର ନିଜର ଏହି ପଦକ୍ଷେପ ଜରିଆରେ ଦେଶର ପ୍ରତିରକ୍ଷାକୁ ମଜବୁତ କରିବାକୁ ଚାହୁଁଛନ୍ତି ଏବଂ ନାଟୋ (NATO) ର ଆର୍ଟିକିଲ୍ ୩ (Article 3) ଉପରେ ଗମ୍ଭୀରତାର ସହ ଧ୍ୟାନ ଦେଉଛନ୍ତି। ଏହା ଅଧୀନରେ ନାଟୋର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଯେକୌଣସି ଆକ୍ରମଣକୁ ରୋକିବା ପାଇଁ ନିଜର ଏବଂ ସାମୂହିକ କ୍ଷମତାକୁ ବଜାୟ ରଖିବା ତଥା ବଢ଼ାଇବା ଜରୁରୀ ହୋଇଥାଏ। କେବଳ ଏତିକି ନୁହେଁ, ଏହି ନୂଆ ନିବେଶ ଦ୍ୱାରା ବ୍ରିଟେନର ୩,୦୦୦ ଲୋକଙ୍କୁ ଚାକିରି ମଧ୍ୟ ମିଳିବ।
ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାକୁ ମଜବୁତ କରିବାର ପଦକ୍ଷେପ ଏପରି ସମୟରେ ଗ୍ରହଣ କରିଛି, ଯେତେବେଳେ ବୈଶ୍ୱିକ ସ୍ତରରେ ଅସ୍ଥିରତା ବଢ଼ିବାରେ ଲାଗିଛି। ଏହାଦ୍ୱାରା ସମଗ୍ର ୟୁରୋପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପଟେ ଏହି ଚିଠି ଜାରି ହେବାର ଏହା ଅର୍ଥ ନୁହେଁ ଯେ ବ୍ରିଟେନ ତୁରନ୍ତ ସେନା ଏକାଠି କରୁଛି। ଏହା ଜରିଆରେ ନିଜର ରିଜର୍ଭ ସୈନିକମାନଙ୍କ ସହ ପୁଣି ଥରେ ଯୋଡ଼ି ହେବାକୁ ଚେଷ୍ଟା କରାଯାଉଛି। ବ୍ରିଟେନ ସରକାର ୧,୦୦୦ ରିଜର୍ଭ ସୈନିକଙ୍କୁ ନାଟୋର ୨୦୨୭ ମସିହାରେ ହେବାକୁ ଥିବା ସାମରିକ ଅଭ୍ୟାସ ପାଇଁ ଡକାଉଛନ୍ତି। ବ୍ରିଟିଶ ସରକାର ଚାହୁଁଛନ୍ତି ଯେ ସେ ରିଜର୍ଭ ସୈନିକମାନଙ୍କୁ ଚିହ୍ନଟ କରି ରଖନ୍ତୁ, ଯେପରିକି ଯଦି ଆବଶ୍ୟକ ପଡ଼େ ତେବେ ସେମାନଙ୍କୁ ତୁରନ୍ତ ଡକାଯାଇ ପାରିବ। ଅନ୍ୟପଟେ ବ୍ରିଟିଶ ସରକାର ନିଜ ନାଗରିକମାନଙ୍କୁ କହିଛନ୍ତି ଯେ ସେମାନେ ଖାଦ୍ୟ, ପାଣି ବୋତଲ, କମ୍ବଳ ଏବଂ ଏକ ରେଡିଓ ନିଶ୍ଚୟ ରଖନ୍ତୁ, ଯେପରିକି ସାଇବର ଆକ୍ରମଣ (Cyber Attack) ହେଲେ ନିଜର ସୁରକ୍ଷା କରାଯାଇ ପାରିବ।