ଭୁବନେଶ୍ୱର: ସମ୍ବିଧାନ ଗୌରବ ଦିବସ ଅବସରରେ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ପୁରୀ ସାଂସଦ ତଥା ବିଜେପି ନେତା ସମ୍ବିତ ପାତ୍ର। ଭାରତୀୟ ସମ୍ବିଧାନ ଏବଂ ଏହାର ପ୍ରଣେତା ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କଂଗ୍ରେସର ଐତିହାସିକ ଆଭିମୁଖ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ଅବସରରେ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ଶାସନକାଳରେ ସମ୍ବିଧାନରେ ହୋଇଥିବା ସଂଶୋଧନକୁ ନେଇ ମଧ୍ୟ ସେ ମତ ରଖିଛନ୍ତି।
ସାଂସଦ ଶ୍ରୀ ପାତ୍ର କହିଥିଲେ ଯେ, ସାଧାରଣ ଲୋକଙ୍କ ପାଇଁ ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ହେଉଛି ଭାରତୀୟ ସମ୍ବିଧାନ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉଚ୍ଚ ପଦପଦବୀରେ ପହଞ୍ଚିବାର ସୁଯୋଗ ଏହା ପ୍ରଦାନ କରିଛି। ଆଜି ଯେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଭାବେ ମଞ୍ଚରେ ବସିଛନ୍ତି, ସେ ମଧ୍ୟ ଏଭଳି ଏକ ଦାୟିତ୍ୱ ପାଇବେ ବୋଲି କେବେ କଳ୍ପନା କରିନଥିବେ। କିନ୍ତୁ ସମ୍ବିଧାନ ତାଙ୍କୁ ଏହି ସୁଯୋଗ ଦେଇଛି ବୋଲି ସେ ଉଲ୍ଲେଖ କରିଥିଲେ।
ଆମ୍ବେଦକରଙ୍କୁ ନେଇ କଂଗ୍ରେସ ଉପରେ ଅଭିଯୋଗ
ବାବାସାହେବ ଆମ୍ବେଦକରଙ୍କ ରାଜନୈତିକ ଜୀବନ ଓ କଂଗ୍ରେସର ଭୂମିକା ସମ୍ପର୍କରେ ମତ ରଖି ସମ୍ବିତ ପାତ୍ର କହିଥିଲେ ଯେ, ଆମ୍ବେଦକରଙ୍କୁ ପରାସ୍ତ କରିବା ପାଇଁ ଜବାହରଲାଲ ନେହେରୁ ଷଡ଼ଯନ୍ତ୍ର କରିଥିଲେ। ତାଙ୍କ ପିଠିରେ ଛୁରି ମାରିବା ଭଳି କାର୍ଯ୍ୟ କଂଗ୍ରେସ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ।
ଆମ୍ବେଦକରଙ୍କ ନିର୍ବାଚନୀ ପରାଜୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ତାଙ୍କ କହିବା ଅନୁଯାୟୀ, ପ୍ରାୟ ୧୪ ହଜାର ଭୋଟରେ ଆମ୍ବେଦକର ପରାଜିତ ହୋଇଥିବା ବେଳେ ୭୪ ହଜାର ବାଲଟ୍ ଗଣତି ହୋଇନଥିଲା। ନେହେରୁଙ୍କ ସମୟରେ ଭୋଟ୍ ଗଣତିକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ମଧ୍ୟ ସେ ଉଠାଇଥିଲେ।
ଆମ୍ବେଦକରଙ୍କୁ ଭାରତ ରତ୍ନ ପ୍ରସଙ୍ଗରେ ବିଜେପିର ଦାବି
ଆମ୍ବେଦକରଙ୍କ ଶେଷକୃତ୍ୟ ପାଇଁ ଦିଲ୍ଲୀରେ ଜାଗା ଦେବାକୁ କଂଗ୍ରେସ ସରକାର ଅସ୍ୱୀକାର କରିଥିବା ଏବଂ ତାଙ୍କୁ ଜୀବନକାଳରେ ଉପଯୁକ୍ତ ସମ୍ମାନ ଦିଆଯାଇନଥିବା ନେଇ ସମ୍ବିତ ପାତ୍ର ଅଭିଯୋଗ କରିଥିଲେ।
ସେ ଆହୁରି କହିଥିଲେ ଯେ, ଆମ୍ବେଦକରଙ୍କୁ କଂଗ୍ରେସ ସରକାର ଭାରତ ରତ୍ନ ତ ଦୂରର କଥା, ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରିନଥିଲା। ପରବର୍ତ୍ତୀ ସମୟରେ ବିଜେପିର ଦାବି ପରେ ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ମିଳିଥିଲା ବୋଲି ସେ କହିଥିଲେ।
ସମ୍ବିଧାନ ସଂଶୋଧନକୁ ନେଇ ନେହେରୁ ଓ ଇନ୍ଦିରାଙ୍କୁ ସମାଲୋଚନା
ସମ୍ବିଧାନରେ ଆମ୍ବେଦକରଙ୍କ ଅବଦାନ ଓ ତାଙ୍କୁ ଉପଯୁକ୍ତ ସ୍ଥାନ ଦେବା ପ୍ରସଙ୍ଗ ଉଠାଇବା ସହ ସମ୍ବିଧାନର ପ୍ରଥମ ସଂଶୋଧନକୁ ନେଇ ନେହେରୁଙ୍କୁ ମଧ୍ୟ ସମାଲୋଚନା କରିଥିଲେ ସାଂସଦ। ୧୯୫୧ ମସିହାରେ ସମ୍ବିଧାନର ଧାରା ୧୯ରେ ପ୍ରଥମ ସଂଶୋଧନ ଅଣାଯାଇଥିବା ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, କିଛି ଗଣମାଧ୍ୟମରେ ନେହେରୁଙ୍କୁ ସମାଲୋଚନା କରାଯିବା ପରେ ଏହି ପଦକ୍ଷେପ ନିଆଯାଇଥିଲା।
ଇନ୍ଦିରା ଗାନ୍ଧୀ ମଧ୍ୟ ନିଜ ରାଜନୈତିକ ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମ୍ବିଧାନରେ ସଂଶୋଧନ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏହାର ବିପରୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ବିଧାନର ସୁରକ୍ଷା ଓ ଏହାର ମୂଳ ଆଦର୍ଶକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସଂଶୋଧନ କରିଥିବା ସମ୍ବିତ ପାତ୍ର ମତ ଦେଇଥିଲେ।