ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବାସିନ୍ଦାଙ୍କ ପାଇଁ ସମାଜବାଦୀ ପାର୍ଟି ନିର୍ବାଚନୀ ଥୋପ ପକାଇ ଦେଇଛି । ଗୁରୁବାର ଏସପିର ଜାତୀୟ ସଭାପତି ଅଖିଳେଶ ଯାଦବ ଲକ୍ଷ୍ନୌରେ ଏକ ସାଧାରଣ ସଭା ମାଧ୍ୟମରେ ଦଳର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଦଳ ଏହାକୁ "ଜନସାଧାରଣଙ୍କ ଇସ୍ତାହାର" ଏବଂ "ପିଡିଏ" (ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁ)ଙ୍କ ପାଇଁ ଏକ "ସଂକଳ୍ପ ପତ୍ର"ଭାବେ ବ୍ୟାଖ୍ୟା କରିଛି। ସଂକଳ ପତ୍ର ଜରିଆରେ ଦଳ ମହିଳା, ଯୁବବର୍ଗ, କୃଷକ ଏବଂ କର୍ମଚାରୀମାନଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ମୋଟ ୩୩ଟି ପ୍ରତିଶ୍ରୁତି ଦେଇଛି ସମାଜବାଦୀ ପାର୍ଟି ।
ଯଦି ସମାଜବାଦୀ ପାର୍ଟିରେ ରାଜ୍ୟରେ ସରକାର ଗଢ଼େ ତେବେ ଜାତିଗତ ଜନଗଣନା ଆରମ୍ଭ ହେବ । ତାହାରି ଅନୁସାରେ ସୁରକ୍ଷା ପ୍ରଦାନ କରାଯିବ । ସେହିପରି ମହିଳା ଏବଂ ମୁସଲମାନଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ । ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କ୍ୟାଣ୍ଟିନ୍ ଖୋଲାଯିବ, ଯେଉଁଠାରେ ମାତ୍ର ୫ ଟଙ୍କାରେ ଖାଦ୍ୟ ମିଳିବ । ସେହିପରି ମହିଳା ଓ ବୟସ୍କ କାରିଗରଙ୍କ ବର୍ଷକୁ ୪୦ ହଜାର ଟଙ୍କା ଆର୍ଥିକ ସହୟାତା ବଣ୍ଟନ କରାଯିବ । ଖାଲି ସେତିକି ନୁହେଁ ବୟସ୍କଙ୍କ ପାଇଁ ବୃଦ୍ଧାଶ୍ରମ ଏବଂ ଯୁବ ବର୍ଗଙ୍କ ପାଇଁ କ୍ଲବ୍ ଘର ମଧ୍ୟ ପ୍ରତିଷ୍ଠା କରାଯିବ । ଦେଖିବାକୁ ଗଲେ ଏସପି ଦଳ ନିର୍ବାଚନୀ ଇସ୍ତାହାରରେ ଦଳିତ ଓ ପଛୁଆ ବର୍ଗର ଭୋଟରଙ୍କ ଆକୃଷ୍ଟ କରିବାକୁ ଥୋପ ପକାଇଛି ।
ସେହିପରି ସମାଜବାଦୀ ପାର୍ଟି ପ୍ରତିଶ୍ରୁତି ଦେଇଛି ଯେ
ଯୁବ ବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ । ପିଡିଏଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷାନୀତି ଆସିବ ।
ସମସ୍ତ ସରକାରୀ ପଦବୀ ପୂରଣ ହେବ । ଯଦି ପେପର୍ ଲିକ୍ ହୁଏ ତେବେ ବିଭାଗୀୟ ମନ୍ତ୍ରୀ ଦାୟୀ ରହିବେ ।
ସରକାରୀ ନିଯୁକ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ହେବ ।
ପାଞ୍ଚ ବର୍ଷରେ ୨୫ ଲକ୍ଷ ନିଯୁକ୍ତି ଦେବ ସପା ସରକାର ।
୩ କୋଟି ରୋଜଗାର ସୁଯୋଗ ସୃଷ୍ଟି ହେବ ।
ମାଗଣା ଛାତ୍ରାବାସ ପ୍ରତିଷ୍ଠା କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦଳିତ ବିକାଶ ବୋର୍ଡ ଗଠନ କରାଯିବ ।
୨୬ ହଜାର ପ୍ରାଥମିକ ବିଦ୍ୟାଳୟ ପୁଣି ଥରେ ଖୋଲାଯିବ ।
ଇସ୍ତାହାର ଜାରି କରିବା ଅବସରରେ ଅଖିଳେଶ ଯାଦବ କହିଛନ୍ତି ଯେ, ଯଦିଓ 'ଭଲ ଦିନ' (ଅଚ୍ଛେ ଦିନ୍) ଆସିନାହିଁ, ତଥାପି 'ଖରାପ ଦିନ' ବିଦାୟ ନେବାକୁ ଯାଉଛି। ଏହି ଇସ୍ତାହାର ମାଧ୍ୟମରେ ସମାଜବାଦୀ ପାର୍ଟି ମହିଳା, ଯୁବବର୍ଗ, କୃଷକ ଏବଂ କର୍ମଚାରୀମାନଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଆଜିର ଦିନରେ ଘୋଷଣା କରିବାର ଉଦ୍ଦେଶ୍ୟ ହେଉଛି, ଦଳ ନିଜର ସାମାଜିକ ନ୍ୟାୟ ସମ୍ବନ୍ଧୀୟ ରାଜନୈତିକ ବିଚାରଧାରାକୁ ସମ୍ବିଧାନ ଏବଂ ଜନସାଧାରଣଙ୍କ ଆଶା-ଆକାଂକ୍ଷା ସହିତ ଯୋଡ଼ିବାକୁ ପ୍ରୟାସ କରିଛି।