କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ କାହିଁକି ଛାଡ଼ିଥିଲେ ପ୍ରାୟ ଛଅ ବର୍ଷ ପରେ ସେ ରହସ୍ୟ ଉପରୁ ପରଦା ହଟାଇଛନ୍ତି । ଯଦି ନିଜର ସ୍ୱତନ୍ତ୍ର ପଥରେ ଚାଲିବାକୁ ଇଚ୍ଛା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଡ଼ି ହୁଅ । ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ପରାମର୍ଶ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ଦେଇଥିଲେ ।
ଶୁଭେନ୍ଦୁ ଅଧିକାରୀ କାହିଁକି ଟିଏମସି ଛାଡ଼ିଥିଲେ ସେ ନେଇ ଖୁଲାସା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପରାମର୍ଶ କ୍ରମେ ହିଁ ସେ ମମତା ବାନାର୍ଜୀଙ୍କ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଯଦି ସେ ନିଜର ସ୍ୱତନ୍ତ୍ର ପଥ ତିଆରି କରିବାକୁ ଚାହାଁନ୍ତି, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଡ଼ି ହେବା ଉଚିତ୍ ବୋଲି ପ୍ରଣବ ମୁଖାର୍ଜୀ ତାଙ୍କୁ ପରାମର୍ଶ ଦେଇଥିଲେ। ଏକ ପ୍ରମୁଖ ଇଂରାଜୀ ବ୍ୟବସାୟିକ ଖବରକାଗଜ ଦ୍ୱାରା ଆୟୋଜିତ 'ବେଙ୍ଗଲ ଆସେଣ୍ଡସ୍' (Bengal Ascends) ସମ୍ମିଳନୀରେ ମଙ୍ଗଳବାର ସନ୍ଧ୍ୟାରେ ଯୋଗ ଦେଇ ଶୁଭେନ୍ଦୁ ଅଧିକାରୀ ନିଜ ଜୀବନର ଏକ ବଡ଼ ରହସ୍ୟକୁ ଲୋକଲୋଚନକୁ ଆଣିଛନ୍ତି । ସେ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କର ପ୍ରକୃତ ମାର୍ଗଦର୍ଶକ ଏବଂ ଅଭିଭାବକ ବୋଲି ବର୍ଣ୍ଣନା କରିଛନ୍ତି।
ଶୁଭେନ୍ଦୁ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଏକ 'ପିଉସୀ-ପୁତୁରା' ଯୋଡ଼ି ଦ୍ୱାରା ପରିଚାଳିତ ଏକ ଦଳ । ଯାହା ଠିକ୍ ଏକ ଘରୋଇ କମ୍ପାନୀ ଭଳି। ତେଣୁ ସେ ସେଠାରେ କେବଳ ଜଣେ ଦଳୀୟ କର୍ମୀ ହୋଇ ରହିବାକୁ ଚାହୁଁନଥିଲି, ତେଣୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ ସେ ତାଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ଯାଇଥିଲେ। ସେହି ସମୟରେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହି ସାକ୍ଷାତ ସମୟରେ ପ୍ରଣବ ମୁଖାର୍ଜୀ ତାଙ୍କୁ ପଚାରିଥିଲେ ଯେ ସେ ଆଗକୁ କ’ଣ କରିବାକୁ ଯୋଜନା କରୁଛନ୍ତି। ଆଉ ପ୍ରଣବ ମୁଖାର୍ଜୀ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଯଦି ତୁମେ କେବଳ ଦଳର ଜଣେ କର୍ମୀ ହୋଇ ରହିବାକୁ ଚାହୁଁଛ, ତେବେ ତାଙ୍କ (ଅଭିଷେକ ବାନାର୍ଜୀ) ସହିତ ରୁହ । କିନ୍ତୁ ଯଦି ତୁମେ ନିଜର ସ୍ୱତନ୍ତ୍ର ପଥ ତିଆରି କରିବାକୁ ଚାହୁଁଛ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଡ଼ି ହୋଇଯାଅ।" ଏହି ପରାମର୍ଶଟି ଅତ୍ୟନ୍ତ ସ୍ପଷ୍ଟ ଥିଲା।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୦୨୦ ଡିସେମ୍ବର ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ତୃଣମୂଳ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ଏହା ପରେ, ସେହି ବର୍ଷ ଡିସେମ୍ବର ମାସରେ, ନିଜ ଜିଲ୍ଲା ପୂର୍ବ ମେଦିନୀପୁରରେ ଆୟୋଜିତ ଏକ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ, ମମତା ବାନାର୍ଜୀଙ୍କ ସହ ତାଙ୍କର ରାଜନୈତିକ ମତଭେଦ ତୃଣମୂଳ କଂଗ୍ରେସ ଛାଡ଼ିବା ପୂର୍ବରୁ ହିଁ ବଢ଼ିବା ଆରମ୍ଭ ହୋଇଯାଇଥିଲା।