ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଯାଇଛି ରାଜନୈତିକ ଚିତ୍ର ଏବଂ ସରଗରମ ହୋଇଛି ରାଜ୍ୟ ରାଜନୀତି । ଦୀର୍ଘ ୬ ବର୍ଷର ମନମାଳିନ୍ୟ ତୁଟିଛି , ପୁଣି ଥରେ ଏକାଠି ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ । ମଙ୍ଗଳବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା ହୋଇଛି । ଏହି ମେଣ୍ଟ ଆଗାମୀ ନିର୍ବାଚନରେ ଏକାଠି ଲଢ଼ିବେ ବୋଲି କହିଛନ୍ତି । ସବୁଠାରୁ ବଡ଼ ଘୋଷଣା ଅକାଳି ଦଳରୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।
ବିଜେପି ମୁଖ୍ୟାଳୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦଳର ମେଣ୍ଟ ଘୋଷଣା ହୋଇଛି । ଏନଡିଏକୁ ଫେରିଛି ସର୍ବପୁରାତନ ଦଳ ଏସ୍ଏଡି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏସ୍ଏଡି ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ସାମ୍ବାଦିକ ଏକାଠି ସମ୍ବୋଧନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଅମିତ ସ୍ପଷ୍ଟ କରିଛନ୍ତି ଯେ ଗତ ତିନି ମାସ ହେଲା ଦୁଇ ଦଳ ମଧ୍ୟରେ ଜାରି ରହିଥିବା ଆଲୋଚନାର ଆଜି ଅନ୍ତ ଘଟିଛି । ଶାହ ପୁଣି ଥରେ ରାଜ୍ୟକୁ ନିଶା ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏସ୍ଏଡି ଅଧ୍ୟକ୍ଷ ବାଦଲ ଏହା ରାଜନୈତିକ ବୁଝାମଣା ନୁହେଁ ବରଂ ଭାବନାତ୍ମକ ମେଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି ।
ଶିରୋମଣି ଅକାଳୀ ଦଳ କୌଣସି ନୂତନ ରାଜନୈତିକ ଦଳ ନୁହେଁ; ବରଂ ଏହା ଭାରତର ଅନ୍ୟତମ ପୁରୁଣା ଦଳ, ଯାହାର ୧୦୬ ବର୍ଷର ଏକ ଗୌରବମୟ ଇତିହାସ ରହିଛି। ଦେଶର ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ପଞ୍ଜାବର ପ୍ରଗତି ଓ କଲ୍ୟାଣ ପର୍ଯ୍ୟନ୍ତ, ଏହି ଐତିହାସିକ ଦଳ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଏହି ଦଳ ରାଜ୍ୟରେ ଶାନ୍ତି, ସମୃଦ୍ଧି ଏବଂ ବିକାଶ ପାଇଁ ଉତ୍ସର୍ଗୀକୃତ।
ପଞ୍ଜାବ ରାଜନୀତିରେ, ଶିରୋମଣି ଅକାଳୀ ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଥିବା ସୁସମ୍ପର୍କ ୨୪ ବର୍ଷ ଧରି ଚାଲିଥିଲା। ବିଜେପି ଏବଂ ଏସ୍ଏଡି ମିଳିତ ଭାବେ ପାଞ୍ଚୋଟି ନିର୍ବାଚନ ଏକାଠି ଲଢ଼ିଛନ୍ତି । ୧୯୯୭, ୨୦୦୨, ୨୦୦୭, ୨୦୧୨ ଏବଂ ୨୦୧୭ ନିର୍ବାଚନ ମେଣ୍ଟଭାବେ ଲଢ଼ିଥିଲେ। ଯେଉଁଥିରୁ ତିନୋଟି ନିର୍ବାଚନ ୧୯୯୭, ୨୦୦୭ ଓ ୨୦୧୨ ନିର୍ବାଚନରେ ମେଣ୍ଟ ସରକାର ମଧ୍ୟ ହୋଇଥିଲା । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପଞ୍ଜାବରେ ହୋଇଥିବା କୃଷକ ଆନ୍ଦୋଳନ ଏହି ମେଣ୍ଟର ଅନ୍ତ ଘଟାଇଥିଲା। ୨୦୨୦ ମସିହା ସେପ୍ଟେମ୍ବର ୨୬ ତାରିଖରେ, ଶିରୋମଣି ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ 'ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ' ରୁ ଓହରିଯିବା ନେଇ ଘୋଷଣା କରିଥିଲା । ତେବେ ପୁଣି ଏହି ଦୁଇ ଦଳଙ୍କ ଏକାଠି ହେବା କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟୀ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।