ଚେନ୍ନାଇ: ରୂପେଲି ପରଦା ପରେ ଏବେ କ’ଣ ରାଜନୀତି ମୈଦାନକୁ ଓହ୍ଲାଇବେ ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ତ୍ରିଷା କୃଷ୍ଣନ? ତାମିଲନାଡୁ ରାଜନୀତିରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସହ ତ୍ରିଷାଙ୍କ ନାଁ ଚର୍ଚ୍ଚାରେ ରହୁଥିବାବେଳେ, ତାଙ୍କ ନାଁରେ ନୂଆ ସଂଗଠନ ଗଠନ ହେବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ସୋମବାର (ନଭେମ୍ବର ୨୩) ତାମିଲନାଡୁର ତିରୁନେଲଭେଲିରେ ତ୍ରିଷାଙ୍କ ସମର୍ଥକଙ୍କ ପକ୍ଷରୁ 'ଇଳୟ ପୁରଚ୍ଚି ଥଳଇଭି ତ୍ରିଷା ପେରୱଇ' ଅର୍ଥାତ୍ 'ୟଙ୍ଗ ରିଭଲ୍ୟୁସନାରୀ ଲିଡର ତ୍ରିଷା ଫୋରମ୍'ର ଶୁଭାରମ୍ଭ କରାଯାଇଛି। ଏହି ସଂଗଠନର ନାଁ ଓ ଲୋଗୋ ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ନୂଆ ଆଲୋଚନା ଆରମ୍ଭ ହୋଇଛି।
ପୋଷ୍ଟରରେ ସବୁଜ ଶାଢ଼ି, ଜୟଲଳିତାଙ୍କ ରାଜନୈତିକ ଛାପ
ଏହି ଫୋରମର ପୋଷ୍ଟରରେ ତ୍ରିଷା ସବୁଜ ରଙ୍ଗର ଶାଢ଼ି ପିନ୍ଧି ହାତ ଯୋଡ଼ିଥିବା ନଜର ଆସିଛନ୍ତି। ଏହାର ଲୋଗୋରେ ମଧ୍ୟ ସବୁଜ ରଙ୍ଗକୁ ପ୍ରାଧାନ୍ୟ ଦିଆଯାଇଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା AIADMKର ଦିବଂଗତ ନେତ୍ରୀ ଜେ. ଜୟଲଳିତାଙ୍କ ସହ ଏହି ରଙ୍ଗର ରାଜନୈତିକ ସମ୍ପର୍କ ଥିବାରୁ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।
ବିଜୟଙ୍କ ସହ ରାଜନୀତି କରିବାକୁ ଚାହୁଁଛନ୍ତି ସମର୍ଥକ
ଫୋରମ୍ର ଉଦ୍ୟୋକ୍ତାଙ୍କ କହିବା ଅନୁଯାୟୀ, ତ୍ରିଷା ରାଜନୀତିକୁ ଆସିବେ ଏବଂ ସେମାନଙ୍କ ସହ ଯୋଡ଼ି ହେବେ ବୋଲି ଆଶା ରଖି ଏହି ସଂଗଠନ ଆରମ୍ଭ କରାଯାଇଛି। କେବଳ କ୍ଷମତା କିମ୍ବା ପଦପଦବି ହାସଲ କରିବା ନୁହେଁ, ବରଂ ତାମିଲନାଡୁବାସୀଙ୍କ ଅଧିକାର ପାଇଁ କାମ କରିବା ଏହାର ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି।
ବିଜୟଙ୍କ ସହ ଏକାଧିକ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ତ୍ରିଷା
ଅଭିନେତ୍ରୀ ତ୍ରିଷାଙ୍କ ନାଁ ଗତ କିଛି ସମୟ ଧରି ତାମିଲନାଡୁର ରାଜନୈତିକ ଚର୍ଚ୍ଚାରେ ରହିଆସିଛି। ବିଜୟଙ୍କ ନିର୍ବାଚନୀ ପ୍ରଚାର ଓ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆଲୋଚନା ହୋଇଛି। ବ୍ରିଟେନରେ ଅଜିତ କୁମାରଙ୍କ ରେସିଂ ଇଭେଣ୍ଟ ଏବଂ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ତ୍ରିଷାଙ୍କୁ ଦେଖିବାକୁ ମିଳିଥିଲା।
ତେବେ ତ୍ରିଷାଙ୍କ ନାଁରେ ଫୋରମ୍ ଗଠନ ହୋଇଥିଲେ ମଧ୍ୟ ସେ ନିଜେ ରାଜନୀତିକୁ ଆସିବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଏହି ସଂଗଠନ ସହ ତାଙ୍କର ଆନୁଷ୍ଠାନିକ ସମ୍ପୃକ୍ତି ରହିଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ତେବେ ତ୍ରିଷା କେବଳ ଜଣେ ଅଭିନେତ୍ରୀ ଭାବେ ନିଜର ଲୋକପ୍ରିୟତା ଜାରି ରଖିବେ ନା ଭବିଷ୍ୟତରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ? ଏବେ ସମସ୍ତଙ୍କ ନଜର ତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।