ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀଙ୍କ ହତ୍ୟା ମାମଲାରେ ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଗୋପାଳଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆନନ୍ଦ ମୋହନଙ୍କ ମୁକ୍ତି ଆଦେଶକୁ ରଦ୍ଦ କରିଛନ୍ତି । ତତସହିତ ଏକ ମାସ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୧୯୯୪ ମସିହା ଗୋପାଳଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ ଜି. କୃଷ୍ଣୈୟାଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଶୀଲ ନାଗୁଙ୍କ ଖଣ୍ଡପୀଠ ବିହାର ସରକାରଙ୍କ ନିଷ୍ପତି ବିରୋଧରେ ହୋଇଥିବା ଆବେଦନ ଉପରେ ଗୁରୁବାର ଶୁଣାଣି କରିଛନ୍ତି । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ହତ୍ୟା ସହ ଜଡ଼ିତ ଅଭିଯୁକ୍ତଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତିକୁ ନେଇ ସୁପ୍ରିମକୋର୍ଟ ବିହାର ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶକୁ ଖାରଜ କରିବା ସହିତ ତୁରନ୍ତ ଆନନ୍ଦ ମୋହନଙ୍କୁ ଆତ୍ମସମର୍ପଣ କରିବାକୁ ମାସେ ଅବଧି ଦେଇଛନ୍ତି । ଏହା ସହିତ ଆଇନ ଅନୁସାରେ ତାଙ୍କ ମୁକ୍ତ ଆଦେଶ ଉପରେ ପୁନର୍ବିଚାର କରିବାକୁ କହିଛନ୍ତି କୋର୍ଟ ।
ମୃତକଙ୍କ ପତ୍ନୀ ତେଲୁଗୁ ଉମାଦେବୀ କୃଷ୍ଣୈୟା ବିହାର ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ଯେ ବିହାର ସରକାର ଆନନ୍ଦ ମୋହନଙ୍କୁ ମୁକ୍ତ କରିବାକୁ ଏକ ରାସ୍ତା ପ୍ରସ୍ତୁତ କରିଥିଲେ । ଆଉ ବିଚାର ସମୟରେ ସରକାର ଉପଯକ୍ତ ପ୍ରମାଣ ଦାଖଲ କରିନଥିଲେ । ଏପରି ତାଙ୍କର ଅନ୍ୟ ଅପରାଧିକ କାର୍ଯ୍ୟକଳାପର ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇନଥିବା ବୋଲି ସେ ଆବେଦନରେ ଦର୍ଶାଇଥିଲେ ।
ପ୍ରକାଶ ଯୋଗ୍ୟ, ୫ ଡିସେମ୍ବର, ୧୯୯୪ ମସିହାରେ ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଜି. କୃଷ୍ଣୈୟାଙ୍କୁ ମୁଜାଫରପୁରରେ ହତ୍ୟା କରାଯାଇଥିଲା। ୩ ଅକ୍ଟୋବର, ୨୦୦୭ ମସିହାରେ ଏକ ନିମ୍ନ ଅଦାଲତ ଆନନ୍ଦ ମୋହନଙ୍କୁ ହତ୍ୟା ଏବଂ ଅପରାଧ ପାଇଁ ଉସକାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୮ ମସିହା ଡିସେମ୍ବରରେ ପାଟନା ହାଇକୋର୍ଟ ତାଙ୍କର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପ୍ରମାଣ ଅଭାବରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯାଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ ଆନନ୍ଦ ମୋହନଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖିଥିଲେ।
ଏହା ପରେ ୨୦୨୩, ଏପ୍ରିଲ ବିହାର ସରକାର ନିଜର ଜେଲ୍ ନିୟମାବଳୀରେ ସଂଶୋଧନ କରିଥିଲେ, ଯାହା ଫଳରେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁକ୍ତ ହେବା ପାଇଁ ବିଚାରଯୋଗ୍ୟ ହୋଇପାରିଲେ। ୨୪ ଏପ୍ରିଲ, ୨୦୨୩, ବିହାର ସରକାରଙ୍କ ଦ୍ୱାରା ଦଣ୍ଡାଦେଶରେ କୋହଳ ମିଳିବା ପରେ, ଆନନ୍ଦ ମୋହନ ଜେଲରୁ ମୁକ୍ତ ହୋଇଥିଲେ।