ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବଡ଼ ବିରୋଧୀ ଦଳର ନାମ ନ ନେଇ କଡ଼ା ପ୍ରହାର କରିଛନ୍ତି। ସବୁଠାରୁ ବଡ଼ ବିରୋଧୀ ଦଳ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉଦ୍ଦେଶ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ କୋଟାକୁ ହ୍ରାସ କରିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଲେଖା ୱେବସାଇଟରେ ପ୍ରକାଶ ପାଇଛି ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ଉପରେ ମଧ୍ୟ ଲେଖିଛନ୍ତି । ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ଲକ୍ଷ୍ୟ ଥିବା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ (ଯାହା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହ ଜଡ଼ିତ ଥିଲା) ବିଫଳ ହେବା ପାଇଁ ପ୍ରଧାନମନ୍ତ୍ରୀ ବିରୋଧୀ ଦଳକୁ ଦାୟୀ କରିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ବର୍ତ୍ତମାନ କୌଣସି ଶକ୍ତି ମହିଳାମାନଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିପାରିବ ନାହିଁ।
ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠାରୁ ବଡ଼ ବିରୋଧୀ ଦଳ ଓବିସି ସଂରକ୍ଷଣକୁ ହ୍ରାସ କରିବାକୁ ଏବଂ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଆଣିବାକୁ ଚେଷ୍ଟା କରୁଛି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ସମ୍ବିଧାନ ନିର୍ମାତାମାନେ, ବିଶେଷକରି ଡକ୍ଟର ବାବାସାହେବ ଆମ୍ବେଦକର, ଏଭଳି ପଦକ୍ଷେପର ଦୃଢ଼ ବିରୋଧ କରିଥିଲେ।
ଧାରା ୩୫୬ର ବାରମ୍ବାର ଅପବ୍ୟବହାର
ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ବରଖାସ୍ତ କରିବା ପାଇଁ ଧାରା ୩୫୬ର ବାରମ୍ବାର ଅପବ୍ୟବହାର କରାଯାଇଛି । ଗୋଟିଏ ଦଳ ଏହାର ପ୍ରୟୋଗ ପ୍ରାୟ ଶହେ ଥର କରିଛି ଏବଂ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ତ ଏହି କ୍ଷେତ୍ରରେ 'ଅର୍ଦ୍ଧଶତକ' (ପଚାଶ ଥର) ମଧ୍ୟ ପୂରଣ କରିସାରିଛନ୍ତି। ସେହିପରି ଧାରା ୩୭୦ ଏବଂ ୩୫-ଏ କାରଣରୁ, ଜମ୍ମୁ ଓ କଶ୍ମୀର ୭୦ ବର୍ଷରୁ ଅଧିକ ସମୟ ଧରି ସମ୍ବିଧାନର ସମ୍ପୂର୍ଣ୍ଣ ପ୍ରୟୋଗରୁ ବଞ୍ଚିତ ହୋଇ ରହିଥିଲା; ୨୦୧୯ ପର୍ଯ୍ୟନ୍ତ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ମହିଳାମାନଙ୍କ ଅଧିକାରକୁ ଦବାଇ ରଖାଯାଇଥିଲା।
'ନାରୀ ଶକ୍ତି'ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଆମ ସମ୍ବିଧାନ ଗଠନରେ ସହାୟକ ହୋଇଥିବା ଅସାଧାରଣ ମହିଳାମାନଙ୍କ ଅବଦାନକୁ ସ୍ୱୀକାର ନକଲେ ଆମ ସମ୍ବିଧାନର କାହାଣୀ ଅସମ୍ପୂର୍ଣ୍ଣ ରହିଯିବ । ମୋଦୀ ଏଠାରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦୀ କହିଛନ୍ତି, ଏକ ବିରୋଧୀ ଦଳ ବିଧାନସଭା ବା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ପାଇଁ ଯଥେଷ୍ଟ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅଣାଯାଇଥିବା ଆଇନକୁ ଅଟକାଇ ଦେଇଥିଲେ । ଯାହା ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ସେମାନଙ୍କର ଅବହେଳାକୁ ପୁନର୍ବାର ପଦାରେ ପକାଇ ଦେଇଛି।
ତଥାପା ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି, "ମୁଁ ଭାରତର 'ନାରୀ ଶକ୍ତି'ଙ୍କୁ କଥା ଦେଉଛି ଯେ, ପୃଥିବୀର କୌଣସି ଶକ୍ତି ସେମାନଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିପାରିବ ନାହିଁ।"
ବିରୋଧରୁ ବାଧା ସୃଷ୍ଟି ପର୍ଯ୍ୟନ୍ତ: ବିରୋଧୀ ଦଳର ଭୂମିକା
ଭାରତର ସାମ୍ବିଧାନିକ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଉପରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଯେ ମୁଖ୍ୟ ବିରୋଧୀ ଦଳ ଏକ 'ରଚନାତ୍ମକ ବିରୋଧୀ' ହେବା ପରିବର୍ତ୍ତେ କ୍ରମାଗତ ଭାବେ ଏକ 'ବାଧା ସୃଷ୍ଟିକାରୀ' ଶକ୍ତିରେ ପରିଣତ ହୋଇଛି। ବିରୋଧୀ ଦଳ ଏହା ବୁଝିବା ଉଚିତ୍ ଯେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା, ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାର ବିକଳ୍ପ ହୋଇପାରିବ ନାହିଁ।
ମହିଳା ସଂରକ୍ଷଣ ବିଲର ବିରୋଧ
ଏହି ସମ୍ବିଧାନ ସଂଶୋଧନ ବିଲ୍ର ଉଦ୍ଦେଶ୍ୟ ଥିଲା 'ସୀମା ନିର୍ଦ୍ଧାରଣ' (delimitation) ପ୍ରକ୍ରିୟା ମାଧ୍ୟମରେ ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ବଢ଼ାଇ ସର୍ବାଧିକ ୮୫୦କୁ ନେବା। ଏହାର ଲକ୍ଷ୍ୟ ଥିଲା ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ବାଟ ପ୍ରଶସ୍ତ କରିବା। ଲୋକସଭାରେ ଏହି ବିଲ୍ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ଥିଲା; କିନ୍ତୁ ଆବଶ୍ୟକ ସଂଖ୍ୟକ ସଦସ୍ୟଙ୍କ ଅଭାବରୁ ଏହି ପ୍ରସ୍ତାବିତ ଆଇନ ଏପ୍ରିଲ୍ ମାସରେ ପାରିତ ହୋଇପାରିଲା ନାହିଁ। ଆଗାମୀ ସଂସଦୀୟ ଅଧିବେଶନରେ ସରକାର ପୁନର୍ବାର ଏହି ବିଲ୍ ଆଣିବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା।
ନକ୍ସଲବାଦର ମୂଳୋତ୍ପାଟନରୁ 'ଚିନ୍ତାଧାରାଗତ ନକ୍ସଲ' ପର୍ଯ୍ୟନ୍ତ
ସେହିପରି ମୋଦୀ ଚଳିତ ବର୍ଷ ମାଓବାଦୀ ବିରୋଧରେ ହାସଲ କରାଯାଇଥିବା ସଫଳତାକୁ ସ୍ୱାଗତ କରି କହିଛନ୍ତି ଯେ ଆଦିବାସୀ ନାଗରିକମାନେ ବର୍ତ୍ତମାନ ବିନା କୌଣସି ଭୟରେ ନିଜର ସାମ୍ବିଧାନିକ ଅଧିକାର ଉପଭୋଗ କରିପାରିବେ। ତଥାପି, ସେ 'ନକ୍ସଲବାଦୀ ମାନସିକତା' ରଖିଥିବା ଲୋକଙ୍କ ବିଷୟରେ ସତର୍କ କରାଇ ଦେଇଛନ୍ତି, ଏପରି ବ୍ୟକ୍ତି ଯେଉଁମାନେ ବର୍ତ୍ତମାନର ବାସ୍ତବତାଠାରୁ ବହୁ ଦୂରରେ ରହି ମଧ୍ୟ ଦେଶର ବିକାଶ ଯାତ୍ରାକୁ ବାଧା ଦେବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ନକ୍ସଲମାନେ ବନ୍ଧୁକ ବଳରେ ଅତି ଗରିବ ଲୋକମାନଙ୍କୁ ସମ୍ବିଧାନିକ ଅଧିକାରରୁ ବଞ୍ଚିତ କରି ରଖିଥିଲେ। ଚଳିତ ବର୍ଷ ନକ୍ସଲବାଦର ସଫଳ ମୂଳୋତ୍ପାଟନ ଏକ ଅତ୍ୟନ୍ତ ଆନନ୍ଦଦାୟକ ଘଟଣା। ଏବେ ସମାଜର ସବୁଠାରୁ ଅବହେଳିତ ବ୍ୟକ୍ତିମାନେ ମଧ୍ୟ ବର୍ତ୍ତମାନ ନିର୍ଭୟରେ ନିଜର ସାମ୍ବିଧାନିକ ଅଧିକାର ଉପଭୋଗ କରିପାରିବେ।