ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୭ ପୂର୍ବରୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବଣ୍ଟାକୁ ନେଇ ଅନ୍ତଃକନ୍ଦଳ ଲାଗି ରହିଛି । ସପା ଦଳର ଟିକେଟ୍ ବଣ୍ଟନକୁ ନେଇ କଂଗ୍ରେସ ଦଳ ଅସନ୍ତୋଷ ଝାଡ଼ିଛି । ସପା ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କିନ୍ତୁ କଂଗ୍ରେସ ତିନି ଅଙ୍କ ବିଶିଷ୍ଟ ଆସନ ସଂଖ୍ୟାରୁ ତଳକୁ ଖସିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ସାସଂଦ ତଥା ଦଳର କାର୍ଯ୍ୟକାରୀ ସଭାପତି ଇମରାନ ମସୂଦ ।
ସାଂସଦ ମସୂଦ କହିଛନ୍ତି ଯେ ମେଣ୍ଟର ଲଢ଼େଇ ହେଉଛି ବିଜେପି ସରକାରକୁ ଗାଦିଚ୍ୟୁତ କରିବା । କିନ୍ତୁ ସହଯୋଗ ଦଳ ସପା ମେଣ୍ଟର ନୀତିକୁ ପାଳନ କରୁନାହିଁ । ମେଣ୍ଟରେ ସମସ୍ତେ ସହଯୋଗୀ, କେହି ଭିକାରୀ ନୁହଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଇମରାନ । ସେ ସିଧାସଳକ ସପା ଦଳକୁ ପଚାରିଛନ୍ତି, ତାଙ୍କର ଲଢ଼େଇ ବିଜେପି ସହିତ ନାଁ କଂଗ୍ରେସ ସହିତ । ସପା ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କିନ୍ତୁ କଂଗ୍ରେସ ୧୦୦ଟିରୁ କମ୍ ଆସନ ନେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଯଦି ଆସନ ବଣ୍ଟନ ତାଲିକାକୁ ଦେଖିବା ତାହା ହେଲେ କେଉଁଠି ନାଁ କେଉଁଠି ସପା ଦଳ କଂଗ୍ରେସ ସହିତ ବିଶ୍ୱାସ ଘାତକତା କରିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ସପା ସହଯୋଗୀ କଂଗ୍ରେସ ଦଳକୁ ମାତ୍ର ୨୬ଟି ଆସନ ଆବଣ୍ଟିତ କରିଛି, ଯେଉଁଥିରେ ୨୨ଟି ଆସନରେ ବିଜେପିର ସ୍ଥିତି ବହୁତ ମଜବୁତ ରହିଛି । ଯାହାକୁ ନେଇ କଂଗ୍ରେସ ଦଳ ଅସନ୍ତୋଷ ପ୍ରକାଶ କରିଛି ।
ଅନ୍ୟପକ୍ଷେ ଅଖିଳେଶ ସଫେଇ ଦେଇଛନ୍ତି ଯେ ଗତ ଲୋକସଭା ନିର୍ବାଚନରେ ଦଳ କଂଗ୍ରେସ ସହିତ ମିଶି ମୁକାବିଲା କରିଥିଲା ଏବଂ ଆଗାମୀ ଦିନରେ ମଧ୍ୟରେ ନିର୍ବାଚନ ଲଢ଼ିବେ । ଯେଉଁଠି କଂଗ୍ରେସର ଜିତିବାର ଆଶା ଥିବା ସେଇଠି ହିଁ ଦଳକୁ ଟିକେଟ୍ ମିଳିବ । କଂଗ୍ରେସ ସହିତ ହିଁ ମେଣ୍ଟ ରହିବ ବୋଲି ଅଖିଳେଶ ସ୍ପଷ୍ଟ କରିଛନ୍ତି । ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀମାନେ ନିଜର ଭୋଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ତୃଣମୂଳ ସ୍ତରରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମେ କଂଗ୍ରେସର ପରାମର୍ଶ କିମ୍ବା ଅନୁରୋଧ ଆଧାରରେ ଟିକେଟ୍ ବାଣ୍ଟିବୁ ନାହିଁ। ଦଳର ପରିଶ୍ରମୀ ସଦସ୍ୟମାନଙ୍କ ଦ୍ୱାରା କରାଯାଉଥିବା ଜନସମର୍ଥନ ଗଢ଼ିବାର ପ୍ରକ୍ରିୟା ଗୋଟିଏ ଦିନରେ ସମ୍ପନ୍ନ ହୋଇପାରିବ ନାହିଁ। କେବଳ ଦଳର ଯେଉଁ ସଦସ୍ୟମାନେ ନିରନ୍ତର କଠିନ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ହିଁ ଟିକେଟ୍ ଦିଆଯିବ ବୋଲି ଅଖିଳେଶ ଗୁରୁତ୍ୱାରୋପ କରିଛନ୍ତି ।