ଭୁବନେଶ୍ୱର: ୫ଟି ସ୍କୁଲ ରୂପାନ୍ତରଣ ଯୋଜନାରେ ଆର୍ଥିକ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖାଦେଇଛି । ପୂର୍ବତନ ବିଜେଡି ସରକାରଙ୍କ ସମୟରେ ହୋଇଥିବା ଏହି ପ୍ରକଳ୍ପର ଖର୍ଚ୍ଚକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଶୁକ୍ରବାର ବିଧାନସଭାରେ ପ୍ରଶ୍ନକାଳ ସମୟରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ ୫ଟି ସ୍କୁଲ ରୂପାନ୍ତରଣ ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚର ତଦନ୍ତ ଦାବି କରିଥିଲେ। ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ନଥିବା ସହ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ।
ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ସ୍କୁଲ ରୂପାନ୍ତରଣ ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ୩୮୭.୯୦ କୋଟି ଟଙ୍କା ଥିବାବେଳେ ୧,୭୦୬.୩୧ କୋଟି ଟଙ୍କାର ବ୍ୟୟ ଉପଯୋଗିତା ପ୍ରମାଣପତ୍ର (UC) ଦାଖଲ ହୋଇଥିବା ଜଣାପଡ଼ିଛି। ତେବେ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହାର ସମ୍ପୂର୍ଣ୍ଣ ଓ ଯାଞ୍ଚ ହୋଇଥିବା ତଥ୍ୟ ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ ନାହିଁ ବୋଲି ମନ୍ତ୍ରୀ ସ୍ୱୀକାର କରିଛନ୍ତି।
ଏହି ଯୋଜନାରେ କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି (CSR), ଓଡ଼ିଶା ମିନେରାଲ୍ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ୍ (OMBADC) ଏବଂ ମନରେଗା (MGNREGS) ଭଳି ବିଭିନ୍ନ ଉତ୍ସରୁ ଅର୍ଥ ଯୋଗାଡ଼ କରାଯାଇଥିଲା। ତେଣୁ ସମସ୍ତ ଖର୍ଚ୍ଚର ସଠିକ୍ ହିସାବ ଯାଞ୍ଚ କରାଯିବ ଏବଂ ଅନିୟମିତତା କିମ୍ବା ଅର୍ଥ ହେରଫେର ପ୍ରମାଣିତ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସରକାରୀ ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନ ପରିବେଶର ଉନ୍ନତି ପାଇଁ ପୂର୍ବ ବିଜେଡି ସରକାର ୫ଟି ସ୍କୁଲ ରୂପାନ୍ତରଣ ଯୋଜନା ଆରମ୍ଭ କରିଥିଲେ। ତେବେ ଏହି ଯୋଜନାକୁ ନେଇ ପୂର୍ବରୁ ମଧ୍ୟ ମହାଲେଖା ନିୟନ୍ତ୍ରକ ଓ ପରୀକ୍ଷକ (CAG)ଙ୍କ ରିପୋର୍ଟରେ ଅତିରିକ୍ତ ଖର୍ଚ୍ଚ, ସନ୍ଦେହଜନକ ଅର୍ଥ ପ୍ରଦାନ, ଅଯୋଗ୍ୟ ଅନୁଷ୍ଠାନକୁ ପାଣ୍ଠି ଯୋଗାଣ ଏବଂ କ୍ରୟ ପ୍ରକ୍ରିୟାରେ ତ୍ରୁଟି ଭଳି ପ୍ରସଙ୍ଗ ସାମ୍ନାକୁ ଆସିଥିଲା।
ଏବେ ଏହି ତଦନ୍ତରୁ କେଉଁ ତଥ୍ୟ ସାମ୍ନାକୁ ଆସୁଛି ଏବଂ ସରକାରୀ ଅର୍ଥ ଖର୍ଚ୍ଚରେ କାହାର ଭୂମିକା ରହିଛି, ତାହା ଉପରେ ସମସ୍ତଙ୍କ ନଜର। ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପରିବେଶ ପାଇଁ ଆସିଥିବା ଅର୍ଥର ସଠିକ୍ ବିନିଯୋଗ ହୋଇଛି କି ନାହିଁ, ତାହା ମଧ୍ୟ ତଦନ୍ତରେ ସ୍ପଷ୍ଟ ହେବ।