କଟକରେ ଗତକାଲି କାର୍ ସହ ବ୍ୟକ୍ତି ଜଳିଯିବା ଘଟଣାରେ ମିଳିଛି ବଡ଼ ସୂଚନା । କାର୍ ସହ ଜଳିଯାଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ। ମୃତକ ହେଉଛନ୍ତି କଟକ କଲ୍ୟାଣନଗରର ସନ୍ତୋଷ ସାହୁ। ସେ ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ଘରେ ରହି କାମ କରୁଥିଲେ। ଏନେଇ କଟକ ଜୋନ୍-୪ ଏସିପି ମୃତକଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ସନ୍ତୋଷ ଘରୁ ବାହାରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
ପ୍ରାଥମିକ ତଦନ୍ତରୁ ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ପୋଲିସ। ସିସିଟିଭି ଫୁଟେଜ୍ ଯାଞ୍ଚରୁ ସେ ଏକା କାର୍ ରେ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ କାର୍ ଟି କିଛି ସମୟ ଧରି ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ସେ ଚରମ ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ଭାବେ ଅନୁମାନ କରୁଥିବା ବେଳେ ଅନ୍ୟ ସମସ୍ତ ଦିଗରୁ ମଧ୍ୟ ତଦନ୍ତ ଜାରି ରହିଥିବା ଜୋନ୍-୪ ଏସିପି କହିଛନ୍ତି ।
ସୂଚନା ଥାଉକି ଗତକାଲି କଟକ ବାରଙ୍ଗ ଥାନା ଗୋଡ଼ିସାହି ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ଏକ ଜଳନ୍ତା କାର୍ ନିକଟରୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ। ଘଟଣାକୁ ନେଇ ଏବେ ତଦନ୍ତ ଜାରି ରହିଛି।