ନବରଙ୍ଗପୁର: ନିଜ ଜୀବନକୁ ବାଜି ଲଗାଇ ଚାରି ଜଣ କୁନି କୁନି ଶିଶୁଙ୍କୁ ନୂଆ ଜୀବନ ଦେଲେ, ହେଲେ ନିଜେ ଫେରିଲେନି ଘରକୁ। ଚାରି ଶିଶୁଙ୍କୁ ପୋଖରୀରେ ବୁଡ଼ିଯିବାରୁ ରକ୍ଷା କରି ଶେଷରେ ନିଜ ଜୀବନ ହାରିଛନ୍ତି ଜଣେ ସାହସୀ ମହିଳା। ଏଭଳି ଏକ ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଜାମାଟୁ ଗ୍ରାମରେ ଘଟିଛି। ମୃତ ମହିଳା ହେଲେ ଆସମତି ଜାନି। ତାଙ୍କର ଏହି ମହାନ ତ୍ୟାଗ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ରଜାମାଟୁ ଗ୍ରାମର ଚାରି ଜଣ କୁନି ଝିଅ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ହଠାତ୍ ଚାରି ଜଣ ଯାକ ପାଣିରେ ବୁଡ଼ିବାକୁ ଲାଗିଥିଲେ। ଶିଶୁମାନଙ୍କୁ ବିପଦରେ ଦେଖି ଆସମତି ଜାନି ନିଜ ଜୀବନକୁ ଖାତିର ନକରି ପୋଖରୀକୁ ଡେଇଁ ପଡ଼ିଥିଲେ। ଦୀର୍ଘ ଚେଷ୍ଟା ପରେ ଚାରି ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଶିଶୁମାନଙ୍କୁ ବଞ୍ଚାଇବା ପରେ ନିଜେ ପୋଖରୀରୁ ଆଉ ଉଠି ପାରିନଥିଲେ।
ଘଟଣା ଜାଣିବା ପରେ ଗ୍ରାମବାସୀ ତୁରନ୍ତ ପୋଖରୀରୁ ଆସମତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ପରୀକ୍ଷା କରି ଆସମତିଙ୍କୁ ମୃତ ଘୋଷଣା କରିଥିଲେ। ଚାରି ଜଣ ଶିଶୁଙ୍କୁ ନୂଆ ଜୀବନ ଦେଇ ନିଜ ଜୀବନ ହାରିଥିବା ଆସମତି ଜାନିଙ୍କ ସାହସିକତା ଓ ମହାନ ତ୍ୟାଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତ୍ୟୁରେ ରଜାମାଟୁ ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।