ବରଗଡ଼: ବରଗଡ଼ ଜିଲ୍ଲାରେ କଫ୍ ସିରପ୍ ଚୋରା ଚାଲାଣ ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ। ପଦ୍ମପୁର ଥାନା ଅନ୍ତର୍ଗତ ବିଜାଗୁଡ଼ା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଟ୍ରକ୍ରୁ ୪,୫୦୦ ବୋତଲ ନିଷିଦ୍ଧ କଫ୍ ସିରପ୍ ସହ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜବତ କରିଛି ପୋଲିସ। ଏହି ଘଟଣାରେ ଜଣେ ୬୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ନଭେମ୍ବର ୨୮ ତାରିଖ ରାତି ପ୍ରାୟ ୧୦ଟା ୧୦ ମିନିଟ୍ରେ ପଦ୍ମପୁର ଥାନାର ଏସ୍ଆଇ ପ୍ରମିଳା ମାରେଲ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ବିଜାଗୁଡ଼ା ନିକଟ କୁଖଣ୍ଡି ଛକରେ ଏକ ଟ୍ରକ୍କୁ ଅଟକାଇଥିଲେ। ଜଗଦଲପୁର ଅଭିମୁଖେ ସନ୍ଦେହଜନକ ଭାବେ ସାମଗ୍ରୀ ପରିବହନ କରୁଥିବା ଏହି ଟ୍ରକ୍କୁ ଯାଞ୍ଚ କରିବା ପରେ ବଡ଼ ଖୁଲାସା ହୋଇଥିଲା।
ଟ୍ରକ୍ରୁ ୩୦ଟି ପ୍ଲାଷ୍ଟିକ୍ ବସ୍ତାରେ ପ୍ୟାକ୍ ହୋଇଥିବା ମୋଟ ୪,୫୦୦ ବୋତଲ ନିଷିଦ୍ଧ କଫ୍ ସିରପ୍ ମିଳିଥିଲା। ଏହା ସହିତ ଡାଲି, ବୁଟ, ସୁଜି, ଅଟା, ଚିନି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି।
ଏହି ଘଟଣାରେ ଝାଡ଼ଖଣ୍ଡପାଲି ନିବାସୀ ୬୧ ବର୍ଷୀୟ ଖ୍ୟମସାଗର ପାଣ୍ଡେଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ପଦ୍ମପୁର ଥାନାରେ NDPS ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି।
ତେବେ ଏତେ ପରିମାଣର କଫ୍ ସିରପ୍ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୋଲିସର ତଦନ୍ତ ଜାରି ରହିଛି।