ମସ୍କୋ/କିଭ୍: ଥମିବାର ନାଁ ନେଉନି ରୁଷ୍-ୟୁକ୍ରେନ୍ ଯୁଦ୍ଧ। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଉଭୟ ଦେଶ ମଧ୍ୟରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ। ଶନିବାର ରୁଷ୍ର ଡ୍ରୋନ୍ ଆକ୍ରମଣରେ ୟୁକ୍ରେନ୍ର ବିଭିନ୍ନ ସ୍ଥାନରେ ଅତି କମ୍ରେ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଅନ୍ୟପଟେ ରୁଷ୍ ଦାବି କରିଛି ଯେ, ରାତିସାରା ୧,୨୪୬ଟି ୟୁକ୍ରେନୀୟ ଡ୍ରୋନ୍କୁ ଧ୍ୱଂସ କରିଛି ତା’ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା।
ଡ୍ରୋନ୍ ମାଡ଼ରେ ଗଲା ୧୦ ଜୀବନ
ୟୁକ୍ରେନ୍ର ଉତ୍ତର ଚେର୍ନିହିଭ୍ ଅଞ୍ଚଳର ନିଝିନ୍ ସହରରେ ଏକ ପ୍ରତିଷ୍ଠାନ ଉପରେ ରୁଷ୍ର ଡ୍ରୋନ୍ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୭ ଜଣ ଆହତ ହୋଇଛନ୍ତି। ରାଜଧାନୀ କିଭ୍ରେ ହୋଇଥିବା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ସହ ୪ ଜଣ ଆହତ ହୋଇଛନ୍ତି।
ସେହିପରି ରୁଷ୍ ଅଧିକୃତ ଜାପୋରିଜିଆ ଅଞ୍ଚଳରେ ଏକ ହସ୍ପିଟାଲ୍ ଗାଡ଼ିକୁ ଡ୍ରୋନ୍ ଧକ୍କା ଦେବାରୁ ଜଣେ ନର୍ସ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲ୍ର ମୁଖ୍ୟ ଡାକ୍ତରଙ୍କ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।
୧୨୪୬ ୟୁକ୍ରେନୀୟ ଡ୍ରୋନ୍ ଖସାଇଥିବା ରୁଷ୍ର ଦାବି
ରୁଷ୍ର ଦାବି ମଧ୍ୟରେ ୟୁକ୍ରେନ୍ ବାୟୁସେନା କହିଛି ଯେ, ରାତିସାରା ରୁଷ୍ ପକ୍ଷରୁ ନିକ୍ଷେପ ହୋଇଥିବା ୧୬୨ଟି ଡ୍ରୋନ୍ ମଧ୍ୟରୁ ୧୪୧ଟିକୁ ଧ୍ୱଂସ କରାଯାଇଛି। କିଭ୍ ନିକଟସ୍ଥ ବିଲା ତ୍ସେର୍କଭା ସହରରେ ହୋଇଥିବା ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।
ବିଦ୍ୟୁତ୍ ଓ ଜଳ ଯୋଗାଣ ବାଧାପ୍ରାପ୍ତ ଆଶଙ୍କା
ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ, ତା’ର ସେନା ବିଲା ତ୍ସେର୍କଭାର ଏକ ହିଟ୍ ଆଣ୍ଡ ପାୱାର୍ ପ୍ଲାଣ୍ଟ ଏବଂ କିଭ୍ର ଏକ ବିଦ୍ୟୁତ୍ ସବଷ୍ଟେସନ୍କୁ ଟାର୍ଗେଟ୍ କରିଛି। ଏହା ପରେ କିଭ୍ର କିଛି ଅଞ୍ଚଳରେ ବିଦ୍ୟୁତ୍ ଓ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ସହରର ମେୟର ଭିଟାଲି କ୍ଲିଚକୋ ଏନେଇ ସତର୍କ କରାଇଛନ୍ତି।
ମସ୍କୋ ଆଡ଼କୁ ଆସିଲା ୧୨୩ ଡ୍ରୋନ୍
କେବଳ ୟୁକ୍ରେନ୍ ନୁହେଁ, ରୁଷ୍ ମଧ୍ୟ ବଡ଼ ଧରଣର ଡ୍ରୋନ୍ ଆକ୍ରମଣର ସାମ୍ନା କରିଛି। ମସ୍କୋର ମେୟରଙ୍କ ସୂଚନା ଅନୁଯାୟୀ, ମାତ୍ର ୮ ଘଣ୍ଟା ମଧ୍ୟରେ ମସ୍କୋ ଆଡ଼କୁ ଆସୁଥିବା ୧୨୩ଟି ଡ୍ରୋନ୍କୁ ଖସାଇ ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟାରୁ ମୋଟ ୪୬୨ଟି ଡ୍ରୋନ୍ ମସ୍କୋ ଅଞ୍ଚଳ ଆଡ଼କୁ ଆସିଥିବା ଦାବି ହୋଇଛି।
ଦକ୍ଷିଣ ରୋସ୍ତୋଭ୍ ଅଞ୍ଚଳରେ ମଧ୍ୟ ୫୦ରୁ ଅଧିକ ଡ୍ରୋନ୍ ଖସାଯାଇଥିବା ରାଜ୍ୟପାଳ କହିଛନ୍ତି। ଅନ୍ୟପଟେ ନୋଭୋଶାଖ୍ତିନ୍ସ୍କ ସହରର ଏକ ପ୍ରମୁଖ ତୈଳ ବିଶୋଧନାଗାରରେ ଡ୍ରୋନ୍ ମାଡ଼ ପରେ ନିଆଁ ଲାଗିଥିବା ନେଇ କିଛି ରୁଷୀୟ ଓ ୟୁକ୍ରେନୀୟ ନ୍ୟୁଜ୍ ଚ୍ୟାନେଲ୍ ଦାବି କରିଛନ୍ତି।
ତୈଳ ପାଇପ୍ଲାଇନ୍ ଓ ଶିଳ୍ପ ପ୍ରତିଷ୍ଠାନ ଟାର୍ଗେଟ୍
ସାମାରା ଅଞ୍ଚଳରେ ଏକ ଶିଳ୍ପ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣକୁ ବିଫଳ କରିଥିବା ରୁଷ୍ କହିଛି। ତେବେ କିଛି ଟେଲିଗ୍ରାମ୍ ଚ୍ୟାନେଲ୍ର ଦାବି ଅନୁଯାୟୀ, ଡ୍ରୋନ୍ଗୁଡ଼ିକ ଟ୍ରାନ୍ସନେଫ୍ଟର ୪ଟି ତୈଳ ପାଇପ୍ଲାଇନ୍ର ସଂଯୋଗସ୍ଥଳକୁ ଟାର୍ଗେଟ୍ କରିଥିଲା।ସେହିପରି ୟୁକ୍ରେନ୍ ସୀମାକୁ ଲାଗିଥିବା ବ୍ରାୟାନ୍ସ୍କ ଅଞ୍ଚଳରେ ଏକ କମ୍ପାନୀର ବସ୍ ଉପରେ ଡ୍ରୋନ୍ ପଡ଼ିବାରୁ ୯ ଜଣ ଆହତ ହୋଇଛନ୍ତି।
ଲଗାତାର ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ଯୋଗୁଁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆହୁରି ଜଟିଳ ହେବାରେ ଲାଗିଛି। ଯୁଦ୍ଧରେ ସାଧାରଣ ନାଗରିକ, ହସ୍ପିଟାଲ୍ ଓ ଶକ୍ତି ଭିତ୍ତିଭୂମିର ସୁରକ୍ଷାକୁ ନେଇ ବଢ଼ିଛି ଅନ୍ତର୍ଜାତୀୟ ଚିନ୍ତା।