ୱାଶିଂଟନ୍: ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ପୁଣି ତେଜିଲା ଅନ୍ତର୍ଜାତୀୟ କୂଟନୈତିକ ଉତ୍ତେଜନା। ଯୁଦ୍ଧକୁ ଆଉ ନ ବଢ଼ାଇବାକୁ ରୁଷକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ନାଟୋ ମୁଖ୍ୟ ମାର୍କ ରୁଟେ। ଫ୍ଲୋରିଡାରେ ଉଭୟଙ୍କ ମଧ୍ୟରେ ବୈଠକ ପରେ ଜାରି ମିଳିତ ବିବୃତିରେ ଏହି ବାର୍ତ୍ତା ଦିଆଯାଇଛି।
ଯୁଦ୍ଧକୁ ଇଚ୍ଛାକୃତ କିମ୍ବା ଅନିଚ୍ଛାକୃତ ଭାବେ ଆହୁରି ବିସ୍ତାର କରିବା ଭଳି କୌଣସି ପଦକ୍ଷେପରୁ ରୁଷ ନିବୃତ୍ତ ରହିବା ଆବଶ୍ୟକ ବୋଲି ଉଭୟ ନେତା କହିଛନ୍ତି। ଯଥାଶୀଘ୍ର ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହାସହ ନାଟୋ ଦେଶଗୁଡ଼ିକର ପ୍ରତିରକ୍ଷା ଖର୍ଚ୍ଚ ଓ ଆମେରିକାରେ ପ୍ରତିରକ୍ଷା ନିବେଶ ବୃଦ୍ଧି ନେଇ ଆଲୋଚନା ହୋଇଛି।
ରୁଷର ଏୟାରବେସ୍ରେ ୟୁକ୍ରେନ୍ର ଆକ୍ରମଣ!
ଅନ୍ୟପଟେ ରୁଷର ଏକ ପ୍ରମୁଖ ସାମରିକ ଏୟାରବେସ୍ରେ ଆକ୍ରମଣ କରିଥିବା ଦାବି କରିଛି ୟୁକ୍ରେନ୍। ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ ଅନୁଯାୟୀ, ରୁଷର ନିଜ୍ନି ନୋଭଗୋରୋଡ୍ ଅଞ୍ଚଳରେ ଥିବା ସାଭାସଲେଇକା ଏୟାରବେସ୍କୁ ଟାର୍ଗେଟ୍ କରାଯାଇଥିଲା।
ଏହି ଆକ୍ରମଣରେ ତିନୋଟି MiG-31 ଯୁଦ୍ଧବିମାନ ଏବଂ ଦୁଇଟି Su-34 ଫାଇଟର୍-ବମ୍ବର୍ କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ୍ ଦାବି କରିଛି। ତେବେ ଏହି ଦାବି ଉପରେ ରୁଷ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ପାଟ୍ରିଅଟ୍ ମିସାଇଲ୍କୁ ନେଇ ଟ୍ରମ୍ପ ପ୍ରଶାସନ ଉପରେ ବର୍ଷିଲେ ଜେଲେନସ୍କି
ସେପଟେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କୁ ସମାଲୋଚନା କରିଛନ୍ତି। ୟୁକ୍ରେନ୍ରେ ପାଟ୍ରିଅଟ୍ ଏୟାର ଡିଫେନ୍ସ ମିସାଇଲ୍ର ଅଭାବ ଥିବା ସତ୍ତ୍ୱେ ଏହା ଯୋଗାଇବାକୁ ଅନୁମତି ନ ମିଳିବା ଏବଂ ବାରମ୍ବାର ଅନୁରୋଧ ସତ୍ତ୍ୱେ ସହାୟତା ନ ମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏଭଳି ସ୍ଥିତିରେ ଗୋଟିଏ ପଟେ ରୁଷକୁ ଶାନ୍ତିର ବାର୍ତ୍ତା, ଅନ୍ୟପଟେ ୟୁକ୍ରେନ୍ର ସାମରିକ ଆକ୍ରମଣ ଓ ଆମେରିକାର ପ୍ରତିରକ୍ଷା ସହାୟତାକୁ ନେଇ ବିବାଦ। ଆଗକୁ ରୁଷ-ୟୁକ୍ରେନ୍ ଯୁଦ୍ଧ କେଉଁ ମୋଡ଼ ନେବ, ତାହା ଉପରେ ଏବେ ସାରା ବିଶ୍ୱର ନଜର।