ପୁରୀ: ଶ୍ରୀମନ୍ଦିରକୁ ଯିବାକୁ ଯୋଜନା କରୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୩୦ ତାରିଖ ସୋମବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପାଇତା ଲାଗି ନୀତି। ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଜାରି ସୂଚନା ଅନୁସାରେ, ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦର୍ଶନ ଉପରେ କଟକଣା ଲାଗୁ ହେବ। ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ନାହିଁ।
କ'ଣ ଏହି ପଇତା ଲାଗି ନୀତି?
ପଇତା ଲାଗି ହେଉଛି ଶ୍ରୀଜିଉଙ୍କ ଏକ ପାରମ୍ପରିକ ଓ ସ୍ୱତନ୍ତ୍ର ସେବା। ଏହି ଗୁପ୍ତ ନୀତି ଦଇତାପତି ସେବକଙ୍କ ଦ୍ୱାରା ସମ୍ପାଦନ କରାଯାଏ। ନୀତିର ପବିତ୍ରତା ଓ ଗୋପନୀୟତା ବଜାୟ ରଖିବାକୁ ଏହି ସମୟରେ ଗର୍ଭଗୃହର ଦ୍ୱାର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥାଏ।
ନୀତି ସମାପନ ଓ ଆବଶ୍ୟକ ଶୁଦ୍ଧିକରଣ ପରେ ରାତି ପ୍ରାୟ ୧୦ଟାରୁ ପୁଣି ସ୍ୱାଭାବିକ ଦର୍ଶନ ଆରମ୍ଭ ହେବାର ଆଶା ରହିଛି। ତେଣୁ ଭକ୍ତମାନେ ଅସୁବିଧା ଏଡ଼ାଇବା ପାଇଁ ସକାଳେ କିମ୍ବା ରାତି ୧୦ଟା ପରେ ଶ୍ରୀମନ୍ଦିର ଦର୍ଶନ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।