କଟକ ଐତିହାସିକ ବାଲିଯାତ୍ରାରେ ପ୍ରବଳ ଜନସମାଗମ ଓ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ଏବଂ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଡଭାଇଜରୀ ଏବଂ କଟକଣା ଜାରି କରାଯାଇଛି। ବୈଷ୍ଣବ ପାଣି ମଞ୍ଚ କଣ୍ଟ୍ରୋଲ ରୁମ୍ ଓ କଟକ-ଇନ୍-କଟକର ଅସ୍ଥାୟୀ ହସ୍ପିଟାଲ୍ର ସୁବିଧା ନେବାକୁ ପରାମର୍ଶ । ଭିଡ଼ ସ୍ଥାନରୁ ଦୂରେଇ ରହିବା ସହ ସବୁ ଘୋଷଣା ଅନୁଧ୍ୟାନ କରିବାକୁ ଜନସାଧାରଣଙ୍କୁ ନିର୍ଦ୍ଦେଶ ରହିଛି ।
ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିଦିନ ଅପରାହ୍ନ ୨ଟାରୁ ମେଳା ଶେଷ ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆ ଆଖପାଖ ଅଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଗାଡ଼ି ରଖିବାକୁ ପରାମର୍ଶ ଦିଆଯାଇଛି ଏବଂ ଚାହାତା ଛକ ପାର୍କିଂରୁ ପଡ଼ିଆ ପର୍ଯ୍ୟନ୍ତ ସଟଲ୍ ବସ୍ ବ୍ୟବସ୍ଥା କରାଯାଇଛି।
ଗତକାଲି ରାମଦୋଳି ଅଘଟଣ ପରେ ପ୍ରଶାସନ ପକ୍ଷରୁ ସମସ୍ତ ଦୋଳିର ସୁରକ୍ଷା ଯାଞ୍ଚ କରାଯାଇଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଛୋଟ ପିଲା ଏବଂ ନିଶାସକ୍ତ ବ୍ୟକ୍ତିଙ୍କୁ ବଡ଼ ଦୋଳିରେ ଚଢ଼ିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଅନ୍ୟପଟେ କଟକ ବାଲିଯାତ୍ରାରେ ଦିନକୁ ଦିନ ବଢ଼ୁଛି ଭିଡ଼ । ବିଭିନ୍ନ ଅବ୍ୟବସ୍ଥା ସତ୍ତେ୍ୱ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସମାଗମ ହେଉଛି । ଗତ ଚାରିଦିନରେ ପ୍ରାୟ ୩୫ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲି ସାରିଥିବାବେଳେ ବ୍ୟବସାୟ ୭୦ କୋଟି ଟଙ୍କା ଅତିକ୍ରମ କରିଛି । ଶନିବାର ଓ ରବିବାର ଥିବାରୁ ଲୋକଙ୍କ ସୁଅ ଛୁଟିବ ବୋଲି ଆଶା କରାଯାଉଛି । ଏଭଳି ସ୍ଥିତିରେ ଆଗାମୀ ଦୁଇ ଦିନ ଭିଡ଼ ପରିଚାଳନା କରିବା ପ୍ରଶାସନ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଦ୍ଘାଟନୀ ଦିନ ବାଲିଯାତ୍ରାରେ ପ୍ରାୟ ୪ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିଲା । ୨୫ ତାରିଖରେ ୯ ଲକ୍ଷ ଓ ୨୬ ତାରିଖରେ ୧୨ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ବ୍ୟବସାୟ କ୍ଷେତ୍ରରେ ବାଲିଯାତ୍ରା ନୂଆ ରେକର୍ଡ ଆଡ଼କୁ ଅଗ୍ରସର ହେଉଛି । ଓରମାସ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରଥମ ତିନିଦିନରେ ମୋଟ୍ ବ୍ୟବସାୟ ୧୭ କୋଟି ୮୯ ଲକ୍ଷ ୧୫ ହଜାର ୫୦ ଟଙ୍କାରେ ପହଞ୍ଚିଛି ।