କଟକ ପୁରୀଘାଟ ଥାନା ଅନ୍ତର୍ଗତ ସନ୍ସାଇନ ଗ୍ରାଉଣ୍ଡ ନିକଟରେ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଦୁଇ ସାହି ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଓ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।
ଏହି ସଂଘର୍ଷରେ ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ ଓରଫ ବୁଲୁଙ୍କ ମୃତ୍ୟୁ ହୋଇଛି। ସେହିପରି ନିରଞ୍ଜନ ସାମଲ ଓରଫ ନିଲୁଆ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପୁରୀଘାଟ ନିକଟସ୍ଥ ବୁରୁଜ ସାହି ଏବଂ ଗଣେଶ ଘାଟ ସାମଲ ସାହିର ଯୁବକମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ଗତକାଲି ସନ୍ଧ୍ୟା ସମୟରେ ଏକ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଢେଲାପଥର, କାଚ ବୋତଲ ମାଡ଼ ସହ ହଣାକଟା ହୋଇଥିଲା ଏବଂ ସ୍ଥାନୀୟ ଦୋକାନଗୁଡ଼ିକରେ ଭଙ୍ଗାରୁଜା କରାଯାଇଥିଲା।
ଖବର ପାଇ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସମେତ ପୁରୀଘାଟ ଓ ଲାଲବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୧୫ ଜଣରୁ ଅଧିକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।