କାନପୁର: ଆଜିର ଯୁବପିଢ଼ି କେବଳ ଉପଦେଶ ଶୁଣିବାକୁ ଚାହୁଁନାହାନ୍ତି, ବରଂ ସେମାନଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଓ ଉଦାହରଣ ଆଶା କରୁଛନ୍ତି। ତେଣୁ Gen-Zଙ୍କ ସହ ଯୋଡ଼ି ହେବାକୁ ହେଲେ ସେମାନଙ୍କ କଥା ବୁଝିବା ସହ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ ବୋଲି କହିଛନ୍ତି ଆରଏସ୍ଏସ୍ର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ।
କାନପୁରର ବୃଜେନ୍ଦ୍ର ସ୍ୱରୂପ ପାର୍କରେ ଆୟୋଜିତ ପାଞ୍ଚଦିନିଆ ହିନ୍ଦୁ ଆଧ୍ୟାତ୍ମିକ ଓ ସେବା ମେଳାରେ ଯୋଗଦେଇ ସେ ଏହା କହିଛନ୍ତି। ତାଙ୍କ ମତରେ, ଆଜିର ଯୁବପିଢ଼ି ବେଶ୍ ବୁଦ୍ଧିମାନ। ସେମାନେ କୁମ୍ଭମେଳାକୁ ଯାଉଛନ୍ତି, ମନ୍ଦିରରେ ପୂଜାପାଠ ମଧ୍ୟ କରୁଛନ୍ତି।
ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ରର କୁପ୍ରଭାବରୁ ଦୂରେଇ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ମାନବିକତା, ସହାବସ୍ଥାନ ଓ ପରିବେଶ ସୁରକ୍ଷା ପାଇଁ ଭାରତୀୟ ଜୀବନମୂଲ୍ୟକୁ ଆଚରଣରେ ଲାଗୁ କରିବାକୁ ଆହ୍ୱାନ ଦେଇଥିଲେ।
ସେ କହିଥିଲେ, କେବଳ ଅଧିକାର ନୁହେଁ, କର୍ତ୍ତବ୍ୟକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଦରକାର। ସମାଜର ସାମର୍ଥ୍ୟବାନ ଲୋକେ ଦୁର୍ବଳ ବର୍ଗଙ୍କ ସହାୟତା ପାଇଁ ଆଗେଇ ଆସିବା ଉଚିତ। ଉଲ୍ଲେଖଯୋଗ୍ୟ, ଏହି ମେଳାରେ ୧୬୨ରୁ ଅଧିକ ଷ୍ଟଲ୍ ଖୋଲାଯାଇଛି। ଏଠାରେ ନିଶାମୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ସମାଜସେବା ସମ୍ପର୍କିତ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯାଉଛି।
Also Read: ଲୋକସଭା ଆସନ ପୁନର୍ଗଠନ: ଓଡ଼ିଶାରେ ୨୧ରୁ ୩୨ ହେବ ସାଂସଦ ସଂଖ୍ୟା, କିଛି ରାଜ୍ୟରେ ବଢ଼ିବନି ଆସନ !