ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସେବା ତୀର୍ଥରେ ଆୟୋଜିତ ବୈଠକରେ ସୀମା ପୁନଃନିର୍ଦ୍ଧାରଣ ବିଲକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏହା ସହିତ ସମସ୍ତ ରାଜ୍ୟ ଏବଂ ସଂସଦରେ ୫୦ ପ୍ରତିଶତ ଆସନ ବଢ଼ାଇବାକୁ ଆଗତ ପ୍ରସ୍ତାବ ଅନୁମୋଦନ ମିଳିଛି । ପାରିତ ପ୍ରସ୍ତାବକୁ ଆସନ୍ତା ଅଧିବେଶନର ସଂସଦର ଉଭୟ ଗୃହରେ ଆଗତ କରାଯିବ । ଏବେ ଲୋକସଭା ଓ ରାଜ୍ୟସଭାରେ ପ୍ରସ୍ତାବକୁ ପାରିତ କରିବାକୁ ସରକାର ଚେଷ୍ଟା କରିବେ । ଏହି ସଂଶୋଧିତ ବିଲ୍ ଆସନ୍ତା ୨୦୫୦ ମସିହା ଯାଏଁ ବଳବତ୍ତର ରହିବ ।
ସଂସଦରେ ୫୦ ପ୍ରତିଶତ ଆସନ ସଂଖ୍ୟାରେ ବୃଦ୍ଧି ଘଟିବ । ଲୋକସଭାରେ ମୋଟ ଆସନ ସଂଖ୍ୟା ୫୪୩ରୁ ବଢ଼ି ୮୫୦ରେ ପହଁଚିଯିବ । ସଂସଦରେ ଉଭୟ ଗୃହରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ କରିବାକୁ ହେଲେ ସରକାରଙ୍କୁ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟକତା ରହିଛି ।
ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ପାରିତ ହେବା ପରେ ମୋଦୀ ସରକାରଙ୍କ ବହୁ ପ୍ରତିକ୍ଷିତ ମହିଳା ସଂରକ୍ଷଣ ବିଲକୁ ପାସ୍ କରିବାକୁ ରାସ୍ତା ଫିଟିବ । ମୋଦୀ ସରକାର ଆଗାମୀ ଅଧିବେଶନରେ ମହିଳା ସଂରକ୍ଷଣ ବିଧେୟକ ମଧ୍ୟ ଆଗତ କରିପାରନ୍ତି । ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ଦେବା । ଗତ ଏପ୍ରିଲ ମାସରେ ଆହୂତ ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟରେ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇଥିଲା । ମାତ୍ର ସୀମା ପୁନଃନିର୍ଦ୍ଧାରଣ ଯୋଗୁଁ ବିଲ୍ ଟି କାଟ୍ ଖାଇଥିଲା ।
ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନ ନଭେମ୍ବର ୩୦ ତାରିଖରେ ଲୋକସଭା ବୈଠକ ସହିତ ଆରମ୍ଭ ହେବ, ଯେତେବେଳେ କି ରାଜ୍ୟସଭା ଡିସେମ୍ବର ୨ ତାରିଖରୁ ବସିବ। ସରକାରୀ କାର୍ୟ୍ୟର ଉପଲବ୍ଧତା ଉପରେ ନିର୍ଭର କରି, ଏହି ସ୍ୱତନ୍ତ୍ର ଅଧିବେଶନ ଡିସେମ୍ବର ୩ ତାରିଖରେ ଶେଷ ହେବ ବୋଲି ଆଶା କରାଯାଉଛି।