ନୂଆଦିଲ୍ଲୀ: ପଳାତକ ଜାକିର ନାଇକ ଏବଂ ତାଙ୍କର ବେଆଇନ ସଂଗଠନ ଇସ୍ଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ କୁ ପୁଣି ଏକ ଶକ୍ତ ଝଟକା ଲାଗିଛି । ଜାକିରଙ୍କ ଆଇଆରଏଫ୍ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ଅଧିକାର ଦେଇଛନ୍ତି । ୟୁଏପିଏ ଆଇନ ୧୯୬୭ ଅଧିସୂଚନା ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଛି ।
ୟୁଏପିଏ ଆଇନ ଆଧାରରେ କେନ୍ଦ୍ର ସରକାର ଧାରା ୭ ଏବଂ ୮ ଅନୁସାରେ ନିଜର ଅଧିକାର, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରିଛନ୍ତି । ଧାରା ୭ ଅନୁସାରେ ସରକାର ବେଆଇନ ସଂଗଠନରେ ନିବେଶ ହେଉଥିବା ଅର୍ଥରାଶି ନେଣଦେଣ ଉପରେ କଟକଣା ଜାରି କରିପାରିବେ । ଏହା ସହିତ ଆର୍ଥିକ କାରବାର ଯାଞ୍ଚ ମଧ୍ୟ କରିପାରିବେ ।
ସେହିପରି ଧାରା ୮ ସରକାରଙ୍କୁ ବେଆଇନ ସଂଗଠନର କାର୍ୟ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ଘର, କୋଠା ଏବଂ ପରିସରକୁ ସୂଚିତ କରିବାକୁ କ୍ଷମତା ପ୍ରଦାନ କରେ। ବିଜ୍ଞପ୍ତି ଜାରି ହେବା ପରେ ସ୍ଥାନୀୟ ପ୍ରଶାସନ ଏହି ପରିସରଗୁଡ଼ିକୁ ପ୍ରବେଶ ନିୟନ୍ତ୍ରଣ କରିପାରିବ ଏବଂ ସେଠାରେ ଅବସ୍ଥିତ ଯେକୌଣସି ସ୍ଥାବର ସମ୍ପତ୍ତିର ବ୍ୟବହାରକୁ ନିଷେଧ କରିପାରିବ।
ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ପୁଣି ଥରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଇଆରଏଫ୍ କୁ ବେଆଇନ ବୋଲି ଘୋଷଣା କରିଥିଲେ । ସରକାର ଆଇଆରଏଫ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅବଧିକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେସନ୍
ଆଇଆରଏଫ୍ ଏକ ବେଆଇନ ଲାଭାନ୍ୱିତ ସଂସ୍ଥା ଅଟେ । ୧୯୯୧ ମସିହା ଫେବୃଆରୀ ମାସରେ ଡା. ଜାକିର ନାଇକ ମୁମ୍ବାଇରେ ପ୍ରତିଷ୍ଠା କରିଥିଲେ । ଭାରତ ସରକାର ପୂର୍ବରୁ ଏହି ସଂଗଠନକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ନିଷିଦ୍ଧ କରିଥିଲେ। ସେତେବେଳେ ସରକାର ସଂଗଠନ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ, ଯେଉଁଥିରେ ଯୁବପିଢ଼ିଙ୍କୁ ମୌଳବାଦୀ କରିବା, ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟକଳାପ ଏବଂ ଟଙ୍କା ଧଳା କରିବା ଅନ୍ତର୍ଭୁକ୍ତ। ଏହି ଚିନ୍ତା ଏବଂ ଜାକିର ନାଏକଙ୍କ କାର୍ଯ୍ୟକଳାପକୁ ଉଲ୍ଲେଖ କରି, ସରକାର ଏବେ ନିଷେଧକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।