ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ଏବେଠାରୁ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକ ନୂଆ ଓପିନିୟନ୍ ପୋଲ୍ରେ ବଡ଼ ରାଜନୈତିକ ସଙ୍କେତ ମିଳିଛି। ସର୍ଭେ ଅନୁସାରେ ଭୋଟ୍ ପ୍ରତିଶତରେ ବିଜେପିକୁ ପଛରେ ପକାଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (SP)। ଏପରିକି କଂଗ୍ରେସ ସହ ମେଣ୍ଟ ହେଲେ ବିରୋଧୀ ଇଣ୍ଡିଆ ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଛୁଇଁପାରେ ବୋଲି ଆକଳନ କରାଯାଇଛି।
SCORE Intelligence ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୯୧,୪୨୯ ଜଣ ଭୋଟରଙ୍କ ମତାମତ ନିଆଯାଇଛି। ୨୦୨୬ ଅକ୍ଟୋବର ୧୫ରୁ ନଭେମ୍ବର ୨୩ ମଧ୍ୟରେ ଏହି ସର୍ଭେ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଭୋଟ୍ ପ୍ରତିଶତରେ ସପା ଆଗରେ
ସର୍ଭେର ସବୁଠାରୁ ଚର୍ଚ୍ଚିତ ତଥ୍ୟ ହେଉଛି ଭୋଟ୍ ପ୍ରତିଶତ। ଆକଳନ ଅନୁସାରେ ସମାଜବାଦୀ ପାର୍ଟିକୁ ୩୬.୯୮ ପ୍ରତିଶତ ଭୋଟ୍ ମିଳିପାରେ। ଅନ୍ୟପଟେ ବିଜେପିକୁ ୩୬.୬୯ ପ୍ରତିଶତ ଭୋଟ୍ ମିଳିବାର ଆକଳନ ରହିଛି। ଅର୍ଥାତ୍ ଭୋଟ୍ ହାରରେ ସପା ୦.୨୯ ପ୍ରତିଶତର ସାମାନ୍ୟ ଆଗୁଆ ରହିଛି। ବହୁଜନ ସମାଜ ପାର୍ଟିକୁ ୧୧.୪୫ ପ୍ରତିଶତ ଏବଂ କଂଗ୍ରେସକୁ ୭.୬୭ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ସର୍ଭେରେ ଆକଳନ କରାଯାଇଛି।
ମେଣ୍ଟ ହେଲେ ସପା ପାଇଁ ବଢ଼ିବ ସୁଯୋଗ
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ଟି ଆସନ ଆବଶ୍ୟକ। ସର୍ଭେ ଅନୁସାରେ ସପା ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିଲେ ଇଣ୍ଡିଆ ମେଣ୍ଟକୁ ୧୭୪ରୁ ୨୧୯ଟି ଆସନ ମିଳିପାରେ। ସେହିପରି ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ୧୮୧ରୁ ୨୨୬ଟି ଆସନ ମିଳିବାର ଆକଳନ ରହିଛି। ଅର୍ଥାତ୍ ଉଭୟ ମେଣ୍ଟ ପାଇଁ ସରକାର ଗଠନର ସମ୍ଭାବନା ରହିଛି। ଅନ୍ୟପଟେ ସପା ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢ଼ିଲେ ମଧ୍ୟ ସପାକୁ ୧୬୦ରୁ ୨୦୨ଟି ଆସନ ମିଳିପାରେ। ବିଜେପିକୁ ୧୭୭ରୁ ୨୧୫ଟି ଆସନ ମିଳିବାର ଆକଳନ କରାଯାଇଛି।
ଯୋଗୀ ଆଗରେ, ଅଖିଳେଶ ଦ୍ୱିତୀୟ
କିଏ ହେବେ ଉତ୍ତରପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଏହି ପ୍ରଶ୍ନରେ ମଧ୍ୟ ସର୍ଭେରେ ଭୋଟରଙ୍କ ମତାମତ ନିଆଯାଇଛି। ଏଥିରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩୫.୨୯ ପ୍ରତିଶତ ସମର୍ଥନ ସହ ପ୍ରଥମ ସ୍ଥାନରେ ଅଛନ୍ତି। ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ୨୬.୫୦ ପ୍ରତିଶତ ଏବଂ ବସପା ମୁଖ୍ୟ ମାୟାବତୀଙ୍କୁ ୮.୫୯ ପ୍ରତିଶତ ଭୋଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି।
୪୨ଟି ଆସନରେ କଡ଼ା ଟକ୍କର
ସର୍ଭେରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୪୨ଟି ବିଧାନସଭା ଆସନରେ ବିଜେପି ଓ ସପା ମଧ୍ୟରେ କଡ଼ା ମୁକାବିଲା ହେବାର ଆକଳନ ରହିଛି। ଏହି ଆସନଗୁଡ଼ିକର ଫଳାଫଳ ନିର୍ବାଚନର ଚୂଡ଼ାନ୍ତ ଚିତ୍ର ବଦଳାଇପାରେ।
ତେବେ ଏହା ଏକ ଓପିନିୟନ୍ ପୋଲ୍ର ଆକଳନ ମାତ୍ର, ପ୍ରକୃତ ନିର୍ବାଚନ ଫଳାଫଳ ନୁହେଁ। ନିର୍ବାଚନ ପୂର୍ବରୁ ଦଳଗୁଡ଼ିକର ମେଣ୍ଟ, ପ୍ରାର୍ଥୀ ଚୟନ ଓ ଭୋଟରଙ୍କ ମନୋଭାବ ଉପରେ ରାଜ୍ୟର ରାଜନୈତିକ ଚିତ୍ର ନିର୍ଭର କରିବ।