ନୂଆଦିଲ୍ଲୀ: ସଂସଦରେ ପୁଣି ଆରମ୍ଭ ହେବ ଅଧିବେଶନ। ଆସନ୍ତା ନଭେମ୍ବର ୩୦ ତାରିଖ ସୋମବାର ଲୋକସଭା ଏବଂ ଡିସେମ୍ବର ୨ ତାରିଖ ବୁଧବାର ରାଜ୍ୟସଭାର କାର୍ଯ୍ୟ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଉଭୟ ଗୃହରେ ଜରୁରୀ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଡିସେମ୍ବର ୩ ତାରିଖରେ ଉଭୟ ଗୃହର କାର୍ଯ୍ୟ ଶେଷ ହୋଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି।
ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ରିଜିଜୁ କହିଛନ୍ତି ଯେ, ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଉଭୟ ଗୃହର କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ସରକାର ଅନୁରୋଧ କରିଛନ୍ତି। ସଂସଦୀୟ କାର୍ଯ୍ୟର ଆବଶ୍ୟକତା ଅନୁସାରେ ଡିସେମ୍ବର ୩ରେ ଅଧିବେଶନ ଶେଷ ହୋଇପାରେ।
କାହିଁକି ପୁଣି ବସିବ ସଂସଦ ?
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୩ ତାରିଖରେ ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ତେବେ ଏହାକୁ ଏଯାଏଁ ଆନୁଷ୍ଠାନିକ ଭାବେ ପ୍ରୋରୋଗ୍ (ପ୍ରୋରୋଗେସନ୍) କରାଯାଇନାହିଁ। ଏହି କାରଣରୁ ପୂର୍ବ ଅଧିବେଶନର କାର୍ଯ୍ୟକୁ ପୁଣି ଆରମ୍ଭ କରିବାର ବ୍ୟବସ୍ଥା କରାଯାଉଛି।
ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଚର୍ଚ୍ଚା
ଏହି ସମୟରେ ସଂସଦରେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ (ଡିଲିମିଟେସନ୍) ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍ ଆସିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଧିବେଶନରେ କେଉଁ କେଉଁ ବିଲ୍ ଉପସ୍ଥାପନ ହେବ, ସେନେଇ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ତେଣୁ ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦୀୟ କାର୍ଯ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସରକାର କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଉଛନ୍ତି ଏବଂ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟ କ’ଣ ରହୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।