ନୂଆଦିଲ୍ଲୀ: ପାକିସ୍ତାନୀ କଣ୍ଟେଣ୍ଟକୁ ନେଇ Netflix ଉପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ। ଭାରତରେ ପାକିସ୍ତାନୀ ୱେବ୍ ସିରିଜ୍ ଉପଲବ୍ଧ ନକରିବାକୁ Netflixକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। Netflixର ନୂଆ ପାକିସ୍ତାନୀ ଅରିଜିନାଲ୍ ସିରିଜ୍ 'Jo Bachay Hain Sang Samait Lo'କୁ ନେଇ ବିବାଦ ଦେଖାଦେବା ପରେ ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଅନୁସାରେ, ଏହି ସିରିଜ୍ ଡିସେମ୍ବର ୪ରେ ବିଶ୍ୱବ୍ୟାପୀ ରିଲିଜ୍ ହେବାର ଯୋଜନା ରହିଛି। ହେଲେ ଭାରତରେ ଏହାର ରିଲିଜ୍କୁ ନେଇ ଅନେକ ଅଭିଯୋଗ ଓ ଆପତ୍ତି ମିଳିବା ପରେ ମନ୍ତ୍ରଣାଳୟ Netflixକୁ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ମାନିବାକୁ କହିଛି।
ପାକିସ୍ତାନୀ କଣ୍ଟେଣ୍ଟ ଉପରେ ପୂର୍ବରୁ ଥିଲା କଟକଣା
୨୦୨୫ ମେ ୮ ତାରିଖରେ କେନ୍ଦ୍ର ସରକାର OTT ପ୍ଲାଟଫର୍ମ ଓ ଡିଜିଟାଲ୍ ଷ୍ଟ୍ରିମିଂ ସେବାଗୁଡ଼ିକୁ ପାକିସ୍ତାନରୁ ଆସୁଥିବା କଣ୍ଟେଣ୍ଟ ପ୍ରସାରଣ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଓ ଦେଶର ସାର୍ବଭୌମତ୍ୱକୁ ନଜରରେ ରଖି ଏହି ପରାମର୍ଶ ଜାରି ହୋଇଥିଲା।
ଗତବର୍ଷ ଜୁନ୍ରେ Netflix ମନ୍ତ୍ରଣାଳୟକୁ ଜଣାଇଥିଲା ଯେ ଭାରତୀୟ ଦର୍ଶକଙ୍କ ପାଇଁ କୌଣସି ପାକିସ୍ତାନୀ ଫିଲ୍ମ କିମ୍ବା ୱେବ୍ ସିରିଜ୍ ଉପଲବ୍ଧ କରାଯାଇନାହିଁ। ଏବେ ସେହି ପ୍ରତିଶ୍ରୁତି ବଜାୟ ରଖିବାକୁ Netflixକୁ କୁହାଯାଇଛି।
କେଉଁ ସିରିଜ୍କୁ ନେଇ ବିବାଦ?
'Jo Bachay Hain Sang Samait Lo' ଏକ ରୋମାଣ୍ଟିକ୍ ଡ୍ରାମା ସିରିଜ୍। ପାକିସ୍ତାନୀ ଲେଖିକା ଫରହତ ଇଶ୍ତିଆକଙ୍କ ଲୋକପ୍ରିୟ ଉର୍ଦ୍ଦୁ ଉପନ୍ୟାସ ଉପରେ ଏହା ଆଧାରିତ। ଏଥିରେ ଫୱାଦ ଖାନ୍, ମାହିରା ଖାନ୍, ହାନିଆ ଆମିରଙ୍କ ସମେତ ଅନେକ ଜଣାଶୁଣା ପାକିସ୍ତାନୀ କଳାକାର ଅଭିନୟ କରିଛନ୍ତି। ପାକିସ୍ତାନ, ଇଟାଲୀ ଓ ବ୍ରିଟେନ୍ରେ ଏହାର ସୁଟିଂ ହୋଇଛି।
ଅନ୍ୟପଟେ ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ମଧ୍ୟ ଏହି ସିରିଜ୍କୁ ନେଇ Netflixକୁ ଚେତାବନୀ ଦେଇଛି। ଭାରତୀୟ କ୍ୟାଟାଲଗ୍ରୁ ସିରିଜ୍କୁ ହଟାଇବାକୁ ଦାବି କରିବା ସହ ଦାବି ପୂରଣ ନହେଲେ Netflix କାର୍ଯ୍ୟାଳୟ ଘେରାଉ ଓ ଦେଶବ୍ୟାପୀ ବୟକଟ୍ ଅଭିଯାନ ଆରମ୍ଭ କରିବାକୁ ଚେତାବନୀ ଦେଇଛି।
ତେବେ ଏବେ ସମସ୍ତଙ୍କ ନଜର Netflixର ପରବର୍ତ୍ତୀ ପଦକ୍ଷେପ ଉପରେ। ଡିସେମ୍ବର ୪ରେ ସିରିଜ୍ଟି ଭାରତରେ ଷ୍ଟ୍ରିମ୍ ହେବ କି ନାହିଁ, ତାହା ଦେଖିବାକୁ ବାକି ରହିଲା।