ତିରୁପତି: ଭଗବାନଙ୍କ ପ୍ରତି ଅସୀମ ଭକ୍ତି ଓ ଶ୍ରଦ୍ଧାର ଏକ ବଡ଼ ଉଦାହରଣ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ତିରୁପତି ମନ୍ଦିରର ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଭେଟି ଦିଆଯାଇଛି ୧୨୧ କେଜି ସୁନାର ଅଳଙ୍କାର। ଏହି ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୦୬ କୋଟି ଟଙ୍କା। ଏହି ବିଶାଳ ଦାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।
ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ ଏହି ସୁନା ଅଳଙ୍କାର ଦାନ କରିଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଏହି ଅଳଙ୍କାର ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
୪୫ଟି ଅଳଙ୍କାର, ୯ଟି ସେଟ୍
ଏହି ଦାନରେ ମୋଟ ୪୫ଟି ସୁନାର ଅଳଙ୍କାର ରହିଛି। ଏଗୁଡ଼ିକୁ ୯ଟି ଅଲଗା ଅଲଗା ସେଟ୍ରେ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଭୁଙ୍କ ସୁନାର ମୁକୁଟ, ପଦ୍ମ ପାଦ ଅଳଙ୍କାର, ଅଣ୍ଟାପଟି, ବାହୁର ଅଳଙ୍କାର, ଶଙ୍ଖ, ଚକ୍ର ଓ ଅଭୟ ହସ୍ତ ଅଳଙ୍କାର ଆଦି ସାମିଲ ରହିଛି।
ଏହି ସବୁ ଅଳଙ୍କାର ମନ୍ଦିରର ପରମ୍ପରା ଓ ଧାର୍ମିକ ନିୟମ ଅନୁସାରେ ତିଆରି କରାଯାଇଛି। ଚେନ୍ନାଇର ଜିଆରଟି ଜୁଏଲର୍ସରେ ଏହା ପ୍ରସ୍ତୁତ ହୋଇଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ତିରୁମାଲାକୁ ଅଣାଯାଇଥିଲା। ମନ୍ଦିରର ରଙ୍ଗନାୟକୁଲା ମଣ୍ଡପରେ ଏହାକୁ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା।
ଭଗବାନଙ୍କ କୃପାରୁ ମିଳିଛି ସବୁକିଛି
ବର୍ଦ୍ଧମାନ ଜୈନ ହେଉଛନ୍ତି ଆସେସ୍ ହେଲ୍ଥ କେୟାରର ପ୍ରତିଷ୍ଠାତା। ୨୦୨୫ରେ ସେ ନିଜ କମ୍ପାନୀର ୭୦ ପ୍ରତିଶତ ଅଂଶଧନ ଆମେରିକାର ଏକ କମ୍ପାନୀକୁ ୨ ବିଲିୟନ ଡଲାରରେ ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ କହିବା ଅନୁସାରେ, ଭଗବାନ ଭେଙ୍କଟେଶ୍ୱରଙ୍କ କୃପାରୁ ତାଙ୍କୁ ଏତେ ସଫଳତା ମିଳିଛି। ତେଣୁ ନିଜ ରୋଜଗାରରୁ ଭଗବାନଙ୍କୁ ଏହି ଅର୍ପଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ତିରୁପତି ମନ୍ଦିର ଦେଶର ସବୁଠାରୁ ଧନୀ ମନ୍ଦିର ମଧ୍ୟରୁ ଅନ୍ୟତମ। ଏହି ୧୨୧ କେଜି ସୁନାର ଦାନକୁ ମନ୍ଦିର ଇତିହାସର ଅନ୍ୟତମ ବୃହତ୍ତମ ବ୍ୟକ୍ତିଗତ ଦାନ ବୋଲି କୁହାଯାଉଛି।