କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି । ଋତବ୍ରତଙ୍କ ବିରୋଧୀ ଦଳ ନେତା ନିଯୁକ୍ତିକୁ କଲିକତା ହାଇକୋର୍ଟ ବାତିଲ କରିଛନ୍ତି । ଖାଲି ସେତିକି ନୁହେଁ ତୃଣମୂଳ କଂଗ୍ରେସର ମୁଖ୍ୟ ସଚେତକ ଅଖାରୁଜ୍ଜାମନଙ୍କ ନିଯୁକ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି । ଏହି ମାମଲାରେ ନୂତନ ପ୍ରକ୍ରିୟାରେ ନିଷ୍ପତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର କଲିକତା ହାଇକୋର୍ଟ ବିରୋଧୀ ଦଳ ନିଯୁକ୍ତି ଅନିୟମିତତା ମାମଲାରେ ଶୁଣାଣି କରିଛନ୍ତି । ବିଚାରପତି କୃଷ୍ଣ ରାଓ ବିରୋଧୀ ଦଳ ନେତା ଏବଂ ମୁଖ୍ୟ ସଚେତକ ନିଯୁକ୍ତିକୁ ବାତିଲ କରିଛନ୍ତି । ୧୦ ଦିନ ମଧ୍ୟରେ ନିଷ୍ପତି ଉପରେ ପୁନର୍ବିଚାର କରି ନୂତନ ବିରୋଧୀ ଦଳ ନେତା ଚୟନ କରିବାକୁ ହାଇକୋର୍ଟ ବିଧାନସଭା ବାଚସ୍ପତି ରବିନ୍ଦ୍ର ବୋଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତୃଣମୂଳ କଂଗ୍ରେସ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା କରାଯାଇଥିବା ଆବେଦନର ହାଇକୋର୍ଟ ଶୁଣାଣି କରିଥିଲେ । ତୃଣମୂଳ କଂଗ୍ରେସର ବିଦ୍ରୋହୀ ଦଳର ସଦସ୍ୟମାନେ ଦଳ ଦ୍ୱାରା ଚୟନ ହୋଇଥିବା ଶୋଭନଦେବଙ୍କ ବଦଳରେ ବିରୋଧୀଦଳର ନେତା ଭାବରେ ବିଭାଜିତ ଦଳର ନେତୃତ୍ୱ ନେଉଥିବା ଋତବ୍ରତ ବାନାର୍ଜୀଙ୍କୁ ବାଛିଥିଲେ । ଆଉ ବାଚସ୍ପତି ଏହାକୁ ମଞ୍ଜୁର ମଧ୍ୟ କରିଥିଲେ । ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି ନିଷ୍ପତି ଆସିଛି ।
ଗତ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀଙ୍କ ଦ୍ୱାରା ପରିଚାଳିତ ଟିଏମସି ପରାଜିତ ହୋଇ ମୁଖ୍ୟ ବିରୋଧୀ ଦଳର ଆସନରେ ବସିଥିଲା । ସର୍ବସମ୍ମତି କ୍ରମେ ଶୋଭନଦେବଙ୍କୁ ଦଳ ବିରୋଧୀ ଦଳ ନେତାଭାବେ ବାଛିଥିଲା । କିନ୍ତୁ ଟିଏମସିର କିଛି ବିଦ୍ରୋହୀ ବିଧାୟକମାନେ ନିଜର ବହୁମତ ଦର୍ଶାଇ ଋତବ୍ରତ ବାନାଜୀଙ୍କୁ ବିରୋଧୀ ଦଳ ନେତା କରିବାକୁ ବାଚସ୍ପତିଙ୍କୁ ଜୁନ୍ 3 ତାରିଖରେ ପ୍ରସ୍ତାବ ଦେଇଥିଲେ । ଆଉ ବାଚସ୍ପତି ଏହାକୁ ଅନୁମୋଦନ କରିଥିଲେ । ଏହା ପରେ ଶୋଭନଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।