ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କିଏ ସାଜିବେ ପରବର୍ତ୍ତୀ କଂସ ମହାରାଜ? ଏହି ଚର୍ଚ୍ଚା ମଧ୍ୟରେ ଆରମ୍ଭ ହୋଇଛି ନୂଆ କଂସ ମହାରାଜଙ୍କ ଚୟନ ପ୍ରକ୍ରିୟା। ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଅଡିସନ୍। ଏଥର କଂସ ଭୂମିକା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୪୪ ଜଣ ଆଶାୟୀ କଳାକାର।
ସାତ ଜଣିଆ ଚୟନ କମିଟି ସମ୍ମୁଖରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନିଜ ନିଜର ଅଭିନୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି। କାହା ଅଭିନୟରେ ରହିଛି କଂସଙ୍କ ଗମ୍ଭୀର ଗର୍ଜନ, ତ ଆଉ କାହା ଭିତରେ ରହିଛି ରାଜକୀୟ ଠାଣି ଓ ଦମ୍ଦାର ସଂଳାପ। ଏହି ସମସ୍ତ ଦିଗକୁ ବିଚାର କରି ଆଗାମୀ ଦୁଇ ବର୍ଷ ପାଇଁ କଂସ ମହାରାଜଙ୍କୁ ଚୟନ କରିବ କମିଟି।
ଅଡିସନ୍ରେ ଭାଗ ନେଇଥିବା କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ ଓ ଆତ୍ମବିଶ୍ୱାସ। ନିଜ ଅଭିନୟ ମାଧ୍ୟମରେ କଂସଙ୍କ ଚରିତ୍ରକୁ ଜୀବନ୍ତ କରି ତୋଳିବାକୁ ସମସ୍ତେ ଦେଇଥିଲେ ଜୋରଦାର ପ୍ରୟାସ।
ଉଲ୍ଲେଖଯୋଗ୍ୟ, ଅଡିସନ୍ ଆରମ୍ଭ ପୂର୍ବରୁ ମା’ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଆୟୋଜିତ ହେବାକୁ ଥିବାବେଳେ ଏବେ ସମସ୍ତଙ୍କ ନଜର ଚୟନ କମିଟିର ନିଷ୍ପତ୍ତି ଉପରେ। ୪୪ ଜଣଙ୍କ ମଧ୍ୟରୁ କାହା ମୁଣ୍ଡରେ ପଡ଼ିବ କଂସ ମହାରାଜଙ୍କ ମୁକୁଟ? ଏହାକୁ ନେଇ ବଢ଼ିଛି ଉତ୍କଣ୍ଠା। ଏବେ ଅପେକ୍ଷା କେବଳ ନୂଆ କଂସ ମହାରାଜଙ୍କ ନାମ ଘୋଷଣାକୁ।