ଭୁବନେଶ୍ୱର : ରାଜ୍ୟରେ ଧିରେଧିରେ ଶୀତର ପ୍ରକୋପ ବଢିବାକୁ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ଯ ଶୀତର ପ୍ରକୋପ ବଢ଼ିବା ସହ ଗତ ୩ ଦିନ ମଧ୍ୟରେ ତାପମାତ୍ରା ୭.୬° ସେଲସିୟସ ତଳକୁ ଖସିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭.୪°ସେଲସିୟସ ରେକର୍ଡ କରାଯାଇଛି, ଯାହା ଚଳିତ ଶୀତ ଋତୁର ସବୁଠାରୁ ଥଣ୍ଡା ସକାଳ ଭାବେ ଅନୁଭୂତ ହୋଇଛି।
ଗତ କିଛି ଦିନର ତାପମାତ୍ରା ଅନୁସାରେ ରାଜଧାନୀର ତାପମାତ୍ରା ଥିଲା ନଭେମ୍ବର ୨୪: ୨୫.୦°ସେଲସିୟସ , ନଭେମ୍ବର ୨୫: ୨୨.୨°ସେଲସିୟସ, ନଭେମ୍ବର ୨୬: ୨୧.୨° ସେଲସିୟସ ଏବଂ ଆଜି ନଭେମ୍ବର ୨୭ ୧୭.୪° ସେଲସିୟସ।
ତେବେ ଆଜି ୧୩.୬°ସେଲସିୟସ ସର୍ବନିମ୍ନ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଏବଂ କେନ୍ଦୁଝରରେ ୧୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରା ଆହୁରି ୨ ଡିଗ୍ରୀ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ସହ ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ଅନୁଭୂତ ହେବ ।
ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଖାଇବା ସହ ଏହା ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୩୦ ତାରିଖକୁ ଲଘୁଚାପରେ ପରିଣତ ହୋଇପାରେ ।