ନୂଆଦିଲ୍ଲୀ: ଦେଶର ନିର୍ବାଚନୀ ଚିତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ର ସରକାରଙ୍କ ପୁନଃ ସୀମା ନିର୍ଦ୍ଧାରଣ ବିଲ୍ ପ୍ରସ୍ତାବ। ଲୋକସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ପ୍ରସ୍ତାବ ଲାଗୁ ହେଲେ ଓଡ଼ିଶାର ଲୋକସଭା ଆସନ ୨୧ରୁ ବଢ଼ି ୩୨ ହୋଇପାରେ। ପ୍ରସ୍ତାବିତ ତାଲିକା ଅନୁସାରେ ଉତ୍ତରପ୍ରଦେଶରେ ଆସନ ସଂଖ୍ୟା ୮୦ରୁ ୧୨୦, ବିହାରରେ ୪୦ରୁ ୬୦, ମହାରାଷ୍ଟ୍ରରେ ୪୮ରୁ ୭୨ ଏବଂ ପଶ୍ଚିମବଙ୍ଗରେ ୪୨ରୁ ୬୩ ହୋଇପାରେ।
ତେବେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ ସଂଖ୍ୟା ସମାନ ଅନୁପାତରେ ବଢ଼ିବା ସମ୍ଭବ ନୁହେଁ। ଗୋଟିଏ ଲୋକସଭା ଆସନ ଥିବା କିଛି କେନ୍ଦ୍ରଶାସିତ ଅଞ୍ଚଳରେ ଆସନ ସଂଖ୍ୟା ପୂର୍ବଭଳି ଗୋଟିଏ ରହିପାରେ। ଏଭଳି ସ୍ଥିତିରେ ଲୋକସଭାର ମୋଟ ସଦସ୍ୟ ସଂଖ୍ୟା ୮୧୬ ହୋଇପାରେ। ଅନ୍ୟପଟେ ଭଗ୍ନାଂଶ ଆସନକୁ ପୂର୍ଣ୍ଣ ସଂଖ୍ୟା କରିବା ପଦ୍ଧତି ଅନୁସରଣ କଲେ ଏହା ୮୨୪ ପର୍ଯ୍ୟନ୍ତ ପହଞ୍ଚିପାରେ।
ଏହି ପୁନଃ ସୀମା ନିର୍ଦ୍ଧାରଣ ବିଲ୍ ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ ମହିଳା ସଂରକ୍ଷଣ ଆଇନ ଲାଗୁ କରିବାର ପଥ ସୁଗମ କରିବା। ଯୋଜନା ଅନୁସାରେ ୨୦୨୯ ନିର୍ବାଚନରୁ ଲୋକସଭା ଓ ବିଧାନସଭାର ଏକ-ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇପାରେ। ତେବେ ଏହି ପ୍ରସ୍ତାବ ଏବେ ସଂସଦର ଅନୁମୋଦନ ଅପେକ୍ଷାରେ ରହିଛି। ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି।