ନୂଆଦିଲ୍ଲୀ: ବିମାନବନ୍ଦର ପରେ ଏବେ ଏୟାରଲାଇନ୍ସ ବ୍ୟବସାୟରେ ନିଜର ଉପସ୍ଥିତି ବଢ଼ାଇବାକୁ ଯୋଜନା କରୁଛି ଅଦାନୀ ଗ୍ରୁପ୍। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ବିମାନ କମ୍ପାନୀରେ ନିବେଶ କରିବାକୁ ଅନୁମତି ମାଗିଛି ଗ୍ରୁପ୍। ଅଦାନୀ ଗ୍ରୁପ୍ର CFO ଜୁଗେଶିନ୍ଦର ରବି ସିଂହ ଏହି ସୂଚନା ଦେଇଛନ୍ତି। ଅନୁମତି ମିଳିଲେ ଭାରତୀୟ ବିମାନ ଶିଳ୍ପରେ ବଡ଼ ପରିବର୍ତ୍ତନ ଆସିପାରେ।
ରବି ସିଂହଙ୍କ କହିବା ଅନୁସାରେ, ଭାରତରେ ୬୦ କୋଟିରୁ ଅଧିକ ଲୋକଙ୍କର ବିମାନ ଯାତ୍ରା କରିବାର ସମ୍ଭାବନା ରହିଛି। ଏହି ଚାହିଦା ପୂରଣ ପାଇଁ ଦେଶରେ ଦୈନିକ ବିମାନ ଚଳାଚଳ ସଂଖ୍ୟାକୁ ପ୍ରାୟ ୩୦ ହଜାର ପର୍ଯ୍ୟନ୍ତ ବଢ଼ାଇବା ଆବଶ୍ୟକ। ଏଥିପାଇଁ ଅଧିକ ଏୟାରଲାଇନ୍ସ ଓ ନିବେଶର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
କେବଳ ନିଜ ଏୟାରଲାଇନ୍ସ ନୁହେଁ, ଅନ୍ୟ କମ୍ପାନୀରେ ବି କରିପାରେ ନିବେଶ
ଅଦାନୀ ଗ୍ରୁପ୍ କେବଳ ନିଜସ୍ୱ ଏୟାରଲାଇନ୍ସ ଆରମ୍ଭ କରିବା ନୁହେଁ, ଅନ୍ୟ କୌଣସି ବିମାନ କମ୍ପାନୀ, ଫଣ୍ଡ୍ କିମ୍ବା ନୂଆ ଉଦ୍ୟୋଗୀଙ୍କୁ ମଧ୍ୟ ନିବେଶ ଜରିଆରେ ସହଯୋଗ କରିପାରେ। ଏଥିପାଇଁ ସରକାରଙ୍କ ଅନୁମତି ଲୋଡ଼ାଯାଇଛି। ତେବେ କେଉଁ କମ୍ପାନୀରେ ନିବେଶ ହେବ କିମ୍ବା ନିଜସ୍ୱ ଏୟାରଲାଇନ୍ସ ଆରମ୍ଭ ହେବ, ସେନେଇ ଏଯାଏଁ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ।
ଦେଶର ୮ଟି ବିମାନବନ୍ଦର ପରିଚାଳନା କରୁଛି ଗ୍ରୁପ୍
ବର୍ତ୍ତମାନ ଅଦାନୀ ଗ୍ରୁପ୍ ଦେଶର ୮ଟି ପ୍ରମୁଖ ବିମାନବନ୍ଦର ପରିଚାଳନା କରୁଛି। ମୁମ୍ବାଇ, ନଭି ମୁମ୍ବାଇ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ଗୁଆହାଟୀ ଭଳି ସହରର ବିମାନବନ୍ଦର ଏଥିରେ ସାମିଲ। ଏହି ବିମାନବନ୍ଦରଗୁଡ଼ିକ ଦେଶର ମୋଟ ହାଇଏୟାର ଯାତ୍ରୀଙ୍କ ଏକ ଚତୁର୍ଥାଂଶରୁ ଅଧିକଙ୍କୁ ସେବା ଯୋଗାଉଛି।
ଇଣ୍ଡିଗୋ ଓ ଏୟାର ଇଣ୍ଡିଆକୁ ମିଳିପାରେ ଚ୍ୟାଲେଞ୍ଜ
ବର୍ତ୍ତମାନ ଭାରତୀୟ ଘରୋଇ ବିମାନ ବଜାରରେ ଇଣ୍ଡିଗୋ ଓ ଟାଟା ଗ୍ରୁପ୍ର ଏୟାର ଇଣ୍ଡିଆର ଦବଦବା ରହିଛି। ଉଭୟ କମ୍ପାନୀ ମିଶି ବଜାରର ପ୍ରାୟ ୯୦ ପ୍ରତିଶତ ଅଂଶ ନିୟନ୍ତ୍ରଣ କରୁଛନ୍ତି। ଏପରି ସ୍ଥିତିରେ ଅଦାନୀ ଗ୍ରୁପ୍କୁ ସରକାର ଅନୁମତି ଦେଲେ ବିମାନ ଶିଳ୍ପରେ ପ୍ରତିଯୋଗିତା ବଢ଼ିପାରେ। ତେବେ ସରକାରଙ୍କ ଅନୁମତି ମିଳିବା ପରେ ହିଁ ଏହି ଯୋଜନା ଆଗକୁ ବଢ଼ିବ।