ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ର ଅନ୍ୟତମ ଅଭିଜ୍ଞ ଖେଳାଳି ମୁଶଫିକୁର ରହିମ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ହେବ ତାଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍। ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଅଧ୍ୟକ୍ଷ ତମିମ ଇକବାଲ ଶନିବାର ଏହି ସୂଚନା ଦେଇଛନ୍ତି। ମୁଶଫିକୁର ନିଜେ କିଛି ଦିନ ପୂର୍ବରୁ ଅବସର ନିଷ୍ପତ୍ତି ବିଷୟରେ ତାଙ୍କୁ ଜଣାଇଥିଲେ। ୨୦୨୭ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବା ପରେ ସେ କ୍ରିକେଟ୍କୁ ବିଦାୟ ଦେବେ।
୧୦୮ ଟେଷ୍ଟ, ୭୦୬୨ ରନ୍
ମୁଶଫିକୁର ନିଜ କ୍ୟାରିୟରରେ ୧୦୮ଟି ଟେଷ୍ଟ ମ୍ୟାଚ୍ ଖେଳି ୭୦୬୨ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୪ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି। ସେ ବାଂଲାଦେଶ ପାଇଁ ସର୍ବାଧିକ ଟେଷ୍ଟ ରନ୍ କରିଥିବା ବ୍ୟାଟର। ସେ ପୂର୍ବରୁ ଟି-୨୦ ଓ ଦିନିକିଆ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ତେଣୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍।
ଦୁଇ ଦଶନ୍ଧିର କ୍ରିକେଟ୍ ଯାତ୍ରା
୨୦୦୫ରେ ଲର୍ଡସ୍ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ମୁଶଫିକୁର। ଦୀର୍ଘ ୨୧ ବର୍ଷର କ୍ୟାରିୟରରେ ସେ ବାଂଲାଦେଶ କ୍ରିକେଟ୍ର ଜଣେ ପ୍ରମୁଖ ଖେଳାଳି ଭାବେ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅବସର ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରିବା ସହ ବାଂଲାଦେଶ କ୍ରିକେଟ୍ ପାଇଁ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି BCB ଅଧ୍ୟକ୍ଷ ତମିମ ଇକବାଲ। ମୁଶଫିକୁରଙ୍କୁ ସମ୍ମାନ ଜଣାଇବା ପାଇଁ ବୋର୍ଡ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।