ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଧୋନୀଙ୍କ ଜଲୱା, ଆଉ ଜର୍ସିରେ ୭ ନମ୍ବରର ରାଜ୍! ମାହିଙ୍କ ୭ ନମ୍ବର ଜର୍ସିକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ରହିଛି ଅଲଗା କ୍ରେଜ୍। ଏପରିକି ସୋସିଆଲ ମିଡିଆରେ ‘ଥାଲା ଫର୍ ଏ ରିଜନ୍’ ଟ୍ରେଣ୍ଡ ମଧ୍ୟ ବେଶ୍ ଲୋକପ୍ରିୟ। ତେବେ ଏହି ୭ ନମ୍ବର ପଛର ରହସ୍ୟ ଏବଂ ନମ୍ବର ବଦଳାଇବାକୁ ମିଳିଥିବା ପରାମର୍ଶକୁ ନେଇ ଏବେ ମୁହଁ ଖୋଲିଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାରେ।
ଏକ ଶୋ'ରେ ଧୋନୀଙ୍କୁ ‘ଥାଲା ଫର୍ ଏ ରିଜନ୍’ ଟ୍ରେଣ୍ଡ ସମ୍ପର୍କରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଏହି ଟ୍ରେଣ୍ଡ ତାଙ୍କ ପ୍ରଶଂସକମାନେ ଆରମ୍ଭ କରିଛନ୍ତି। କୌଣସି ନା କୌଣସି ଉପାୟରେ ୭ ନମ୍ବର ଆସିଯାଏ। ଯଦି ନଆସେ, ତେବେ ପ୍ରଶଂସକମାନେ ଯୋଗ, ବିୟୋଗ, ଗୁଣନ କିମ୍ବା ଭାଗ କରି ୭ ଆଣିଦିଅନ୍ତି।
ତେବେ ଧୋନୀଙ୍କ ଜର୍ସି ନମ୍ବର ୭ ପଛର କାରଣ ଖୁବ୍ ସରଳ। ଭାରତୀୟ ଦଳରେ ଡେବ୍ୟୁ ସମୟରେ ତାଙ୍କୁ ଜର୍ସି ନମ୍ବର ବାଛିବାକୁ କୁହାଯାଇଥିଲା। ଧୋନୀ ନିଜ ଜନ୍ମତାରିଖ ଜୁଲାଇ ୭କୁ ମନେ ପକାଇ ୭ ନମ୍ବର ଚାହିଁଥିଲେ। ସେତେବେଳେ ଏହି ନମ୍ବର ଖାଲି ଥିବାରୁ ତାଙ୍କୁ ମିଳିଯାଇଥିଲା।
ସବୁଠାରୁ ରୋଚକ କଥା ହେଉଛି, ଜଣେ ନମ୍ବରୋଲୋଜି ବିଶେଷଜ୍ଞ ଧୋନୀଙ୍କୁ ତାଙ୍କ ଜର୍ସି ନମ୍ବର ୭ ବଦଳାଇ ଅନ୍ୟ ଏକ ନମ୍ବର ରଖିବାକୁ ପରାମର୍ଶ ଦେଇଥିଲେ। ହେଲେ ମାହିଙ୍କ ଉତ୍ତର ଥିଲା ଖୁବ୍ ଦମ୍ଦାର। ସେ ପ୍ରଶ୍ନ କରିଥିଲେ, ଆଜି ୭ ବଦଳାଇ ୧୧ କଲେ, ଆସନ୍ତାକାଲି ପୁଣି ଅନ୍ୟ ଏକ ନମ୍ବର ରଖିବି କି? ଏହାର କେବେ ଶେଷ ହେବ?
ଧୋନୀ ଆହୁରି କହିଥିଲେ, ଯଦି ମୁଁ ନିଜ ଭୁଲ୍ ପାଇଁ ନମ୍ବରକୁ ଦାୟୀ କରିବି, ତେବେ ନିଜ ଦାୟିତ୍ୱରୁ ଦୂରେଇ ଯିବି। ଭଲ ଅଭ୍ୟାସ ଓ କଠିନ ପରିଶ୍ରମ କରିଲେ କୌଣସି ନମ୍ବର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଧୋନୀଙ୍କ ଏହି କଥାରୁ ସ୍ପଷ୍ଟ ଯେ, ସେ ଅନ୍ଧବିଶ୍ୱାସ ଅପେକ୍ଷା ପରିଶ୍ରମ, ଶୃଙ୍ଖଳା ଓ ନିଜ ଉପରେ ବିଶ୍ୱାସକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଏହି କାରଣରୁ ମାହି କେବଳ ଜଣେ ମହାନ କ୍ରିକେଟର୍ ନୁହନ୍ତି, ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣା। ୭ ନମ୍ବର କେବଳ ଜର୍ସିର ପରିଚୟ, ହେଲେ ସଫଳତାର ଅସଲ ମନ୍ତ୍ର ହେଉଛି ପରିଶ୍ରମ, ଧୋନୀଙ୍କ ଏହି ଗୋଟିଏ ଜବାବ ଏବେ ଫ୍ୟାନ୍ଙ୍କ ହୃଦୟ ଜିତୁଛି।