ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ରକ୍ତାକ୍ତ ଆକ୍ରମଣ। ରାସ୍ତା ଉପରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। କେତେକ ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହଠାତ୍ ଦିନବେଳା ଏଭଳି ଆକ୍ରମଣ ଘଟିବାରୁ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ଘଟଣା ପରେ ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପଛର ପ୍ରକୃତ କାରଣ କ'ଣ, କେଉଁମାନେ ଏଥିରେ ସମ୍ପୃକ୍ତ ଏବଂ କାହିଁକି ଏଭଳି ଆକ୍ରମଣ କରାଗଲା, ସେନେଇ ଛାନଭିନ୍ ଚାଲିଛି।
ସ୍ମାର୍ଟ ସିଟିରେ ଦିନ ଦ୍ୱିପ୍ରହରରେ ଏଭଳି ଆକ୍ରମଣକୁ ନେଇ ଉଠିଛି ସୁରକ୍ଷାର ପ୍ରଶ୍ନ। ପୁଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ଏହି ଆକ୍ରମଣ ପଛର ପୂରା କାହାଣୀ।