ରାୟଗଡ଼ା: ନାବାଳିକା ଦୁଷ୍କର୍ମ ମାମଲାରେ କଡ଼ା ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ (POCSO) ଅଦାଲତ। ୨୦୨୧ ମସିହାରେ ଘଟିଥିବା ନାବାଳିକା ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ବଳରାମ ଯୋଗୀଙ୍କୁ ୨୦ ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଏହି ରାୟ ଶୁଣାଇଛନ୍ତି। ଭାରତୀୟ ପିଙ୍ଗଳ କୋଡ୍ (IPC) ଧାରା ୩୭୬(AB) ଅନୁଯାୟୀ ଦୋଷୀକୁ ୨୦ ବର୍ଷର କଠୋର କାରାଦଣ୍ଡ ମିଳିଛି। ଏହାସହ ଘରେ ବେଆଇନ ପ୍ରବେଶ ଓ ମାଡ଼ ମାରିବା ଅଭିଯୋଗରେ ଯଥାକ୍ରମେ ୧୦ ହଜାର ଓ ୨ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି।
ଅଭିଯୋଗ ଅନୁଯାୟୀ, ୨୦୨୧ ଅଗଷ୍ଟ ୧୦ ତାରିଖରେ ନାବାଳିକାଙ୍କ ବାପା-ମାଆ ଘରେ ନଥିବା ସମୟରେ ବଳରାମ ଯୋଗୀ ତାଙ୍କ ଘରେ ବେଆଇନ ଭାବେ ପ୍ରବେଶ କରି ଏହି ଅପରାଧ ଘଟାଇଥିଲେ। ଏନେଇ ରାୟଗଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା।
ମାମଲାର ବିଚାର ସମୟରେ ଅଦାଲତ ୧୬ ଜଣ ସାକ୍ଷୀଙ୍କ ବୟାନ ସହ ଡାକ୍ତରୀ ଓ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରିଥିଲେ। ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହେବା ପରେ ଏହି ଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ବିରୋଜା ପ୍ରସାଦ ପାତ୍ର ମାମଲା ପରିଚାଳନା କରିଥିଲେ।