ନୂଆଦିଲ୍ଲୀ: ମନ ଭଲ ନାହିଁ, ଅଫିସ୍ ଯିବାକୁ ଇଚ୍ଛା ହେଉନି? ତେବେ ଚିନ୍ତା କରନ୍ତୁ ନାହିଁ, ନିଅନ୍ତୁ ଛୁଟି। ଆଉ ସେଥିପାଇଁ ବସ୍ଙ୍କ ଅନୁମତି ମଧ୍ୟ ଦରକାର ନାହିଁ। ଆଜିର କର୍ପୋରେଟ୍ ଦୁନିଆରେ ଏଭଳି ନିଆରା ନିୟମ କର୍ମଚାରୀଙ୍କ ମନ ଜିଣିନେଇଛି। କାରଣ ସାଧାରଣତଃ କର୍ପୋରେଟ ଜଗତରେ ଛୁଟି ନେବାକୁ ହେଲେ କର୍ମଚାରୀଙ୍କୁ ଅନେକ କାରଣ ଦେଖାଇବାକୁ ପଡେ, ଏବଂ ବସ୍ଙ୍କ ମୁହଁକୁ ଚାହିଁବାକୁ ହୁଏ, କିନ୍ତୁ ଏ କମ୍ପାନୀରେ ଯଦି ଜଣେ କର୍ମଚାରୀ ଚାପଗ୍ରସ୍ତ କିମ୍ବା ଭାବପ୍ରବଣ ଭାବେ ଅସନ୍ତୁଷ୍ଟ ଅଛନ୍ତି, ତେବେ ସେ ତୁରନ୍ତ ଛୁଟି ନେଇ ନିଜକୁ ସମୟ ଦେଇ ପାରିବେ।
ସବୁଠାରୁ ବଡ଼ କଥା ହେଉଛି, ମ୍ୟାନେଜର ମାନେ ଏହି ଛୁଟିକୁ ମନା କରିପାରିବେ ନାହିଁ । କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନ ଓ ଅଫିସ୍ କାମ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଏଭଳି ଐତିହାସିକ ନିଷ୍ପତି ନିଆଯାଇଛି। ଚୀନ୍ର ଏକ ରିଟେଲ୍ କମ୍ପାନୀ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଖୁସିକୁ ଗୁରୁତ୍ୱ ଦେଇ ଆରମ୍ଭ କରିଛି ‘ଅନହାପି ଲିଭ୍’ ବ୍ୟବସ୍ଥା।
କ’ଣ ଏହି ଅନହାପି ଲିଭ୍?
ସାଧାରଣତଃ ଅଫିସ୍ରେ ଛୁଟି ନେବାକୁ ହେଲେ ଅନେକ କାରଣ ଦେବାକୁ ପଡ଼େ। ଏପରିକି ମ୍ୟାନେଜରଙ୍କ ଅନୁମତି ମଧ୍ୟ ନେବାକୁ ହୁଏ। କିନ୍ତୁ ଏହି କମ୍ପାନୀରେ ମନ ଖରାପ ଥିଲେ କିମ୍ବା ମାନସିକ ଭାବେ ଥକି ଯାଇଥିଲେ କର୍ମଚାରୀ ଛୁଟି ନେଇପାରିବେ। ଏଥିପାଇଁ ବର୍ଷକୁ ୧୦ ଦିନର ଦରମା ସହ ଛୁଟି ମିଳିଥାଏ। ସବୁଠାରୁ ଖାସ୍ କଥା ହେଉଛି, ମ୍ୟାନେଜରମାନେ ଏହି ଛୁଟିକୁ ମନା କରିପାରିବେ ନାହିଁ।
କେଉଁଠି ରହିଛି ଏହି କମ୍ପାନୀ?
ଚୀନ୍ର ପ୍ରସିଦ୍ଧ ରିଟେଲ୍ କମ୍ପାନୀ ‘ପାଙ୍ଗ ଡଙ୍ଗ ଲାଇ’ (Pang Dong Lai)ରେ ଏହି ବ୍ୟବସ୍ଥା ରହିଛି। ଏହାର ପ୍ରତିଷ୍ଠାତା ୟୁ ଡୋଙ୍ଗଲାଇ (Yu Donglai) କର୍ମଚାରୀଙ୍କ ମାନସିକ ସୁସ୍ଥତାକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ତାଙ୍କ ମତରେ, ମଣିଷ ଖୁସିରେ ରହିବା ଅଧିକ ଜରୁରୀ। ମନ ଭଲ ନଥିଲେ ଜବରଦସ୍ତି କାମ କରାଇବା ଉଚିତ୍ ନୁହେଁ।
ଦିନକୁ ୭ ଘଣ୍ଟା କାମ, ଅନେକ ସୁବିଧା
କେବଳ ଅନହାପି ଲିଭ୍ ନୁହେଁ, କମ୍ପାନୀରେ କର୍ମଚାରୀଙ୍କ ପାଇଁ ଦୈନିକ ୭ ଘଣ୍ଟା କାମ ଓ ପର୍ଯ୍ୟାପ୍ତ ବାର୍ଷିକ ଛୁଟି ଭଳି ସୁବିଧା ମଧ୍ୟ ରହିଛି। ଉଦ୍ଦେଶ୍ୟ ହେଉଛି କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରଖିବା।
ଭାରତୀୟ କମ୍ପାନୀରେ ଲାଗୁ ହେବ କି ଏହି ନିୟମ?
ଏହି ନିଆରା ଛୁଟି ବ୍ୟବସ୍ଥାକୁ ନେଇ RPG ଗ୍ରୁପ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ମଧ୍ୟ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଭାରତୀୟ କମ୍ପାନୀଗୁଡ଼ିକରେ ମଧ୍ୟ ଏଭଳି ଛୁଟି ବ୍ୟବସ୍ଥା ରହିବା ଉଚିତ୍ କି ନାହିଁ, ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଆପଣଙ୍କ ଅଫିସ୍ରେ ଏଭଳି ନିୟମ ରହିଲେ ଆପଣ ଖୁସି ହେବେ ନା ନାହିଁ?
ଅଧିକ ପଢନ୍ତୁ: କାମ ନୁହେଁ, ଅଫିସରେ ଦେଖାଣିଆପଣକୁ ଅଧିକ ଗୁରୁତ୍ୱ; ୫ ଘଣ୍ଟାରେ ସାରିଲେ ଦୋଷ, ୯ ଘଣ୍ଟା ବସିଲେ ପ୍ରଶଂସା, କର୍ପୋରେଟ୍ କଲ୍ଚର୍କୁ ନେଇ CEOଙ୍କ ବଡ଼ ଖୁଲାସା