ନୂଆଦିଲ୍ଲୀ: ନିଜ ନାମକୁ ନେଇ ଚାଲିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ସହ-ସଂଯୋଜକ ସୌରଭ ଦାସ। ଯୋଗେଶ ଶର୍ମା ମଧ୍ୟ ତାଙ୍କ ନାଁ ବୋଲି ସେ ସ୍ୱୀକାର କରିଛନ୍ତି। ତେବେ ଏହା ତାଙ୍କ ଜନ୍ମ ସମୟରେ କୁଣ୍ଡଳୀରେ ଲେଖାଯାଇଥିବା ଏକ ଗୁପ୍ତ ନାମ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏକ ସାକ୍ଷାତକାରରେ ସୌରଭ କହିଛନ୍ତି, ଜନ୍ମ ସମୟରେ ତାଙ୍କ ମାଆ ଏହି ନାମ ରଖିଥିଲେ। ହିନ୍ଦୁ ପରମ୍ପରାରେ କୁଣ୍ଡଳୀରେ ଏପରି ଗୁପ୍ତ ନାମ ରଖିବାର ପ୍ରଥା ରହିଛି, ଯାହା ସାଧାରଣତଃ ଅନ୍ୟମାନଙ୍କୁ କୁହାଯାଏ ନାହିଁ। ଏହି ନାମ ବାହାରକୁ କିପରି ଆସିଲା, ତାହା ଜାଣିବା ପାଇଁ ସେ ନିଜ ମାଆଙ୍କୁ ପଚାରିଥିବା ମଧ୍ୟ କହିଛନ୍ତି। ସୋନିଆ ଗାନ୍ଧୀଙ୍କ ଜନ୍ମ ନାମର ଉଦାହରଣ ଦେଇ ସେ ନିଜ କଥା ରଖିଥିଲେ। ସୌରଭଙ୍କ କହିବା ଅନୁସାରେ, ଏହି ବିବାଦ ତାଙ୍କ ରାଜନୈତିକ ଅଭିଯାନ ସହ ଜଡ଼ିତ। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଯଥା ଚର୍ଚ୍ଚା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ସୌରଭଙ୍କ ନାମ, ନାଗରିକତା ଓ ପରିଚୟକୁ ନେଇ ମାଡ୍ରାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଏହା ସହ ଅକ୍ଟୋବର ୨୩ରେ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଲଣ୍ଡନ ଯିବାରୁ ଅଟକାଯାଇଥିବା ଘଟଣା ମଧ୍ୟ ବିବାଦକୁ ଅଧିକ ଚର୍ଚ୍ଚିତ କରିଛି। ଏହି ଘଟଣାକୁ ନେଇ ସୌରଭ ସରକାରୀ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି।