ଭୁବନେଶ୍ୱର: ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ ବିଲ୍କୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି। ବିଲ୍କୁ ସମର୍ଥନ କରିବ କି ବିରୋଧ, ତାହା ଏବେଠାରୁ ସ୍ଥିର ହୋଇନାହିଁ। ବିଲ୍ର ସମ୍ପୂର୍ଣ୍ଣ ତଥ୍ୟ ଅନୁଧ୍ୟାନ କରିବା ପରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ।
ଡିଲିମିଟେସନ ବିଲ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ୁଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ରାଜ୍ୟର ବର୍ତ୍ତମାନ ୨୧ଟି ଲୋକସଭା ଆସନ ବୃଦ୍ଧି ପାଇ ୩୨ ହେବାର ସମ୍ଭାବନାକୁ ନେଇ ଆଲୋଚନା ଚାଲିଛି।
ଏହି ପ୍ରସଙ୍ଗରେ ମାନସ ମଙ୍ଗରାଜ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥକୁ ନେଇ ବିଜେଡି କେବେ ବି ସାଲିସ୍ କରିବ ନାହିଁ। ବିଲ୍ ସଂସଦରେ ଆଗତ ହେବା ପରେ ଏହାର ସମସ୍ତ ଦିଗକୁ ଭଲ ଭାବେ ଯାଞ୍ଚ କରାଯିବ। ସେ କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡିର ସଂସଦୀୟ ଦଳ ପରବର୍ତ୍ତୀ ପଦକ୍ଷେପ ନେବ। ତେଣୁ ବିଲ୍କୁ ନେଇ ତରବରିଆ ନିଷ୍ପତ୍ତି ନିଆଯିବ ନାହିଁ।
ଓଡ଼ିଶାର ପ୍ରତିନିଧିତ୍ୱକୁ ଗୁରୁତ୍ୱ
ମାନସ ମଙ୍ଗରାଜ ଆହୁରି କହିଛନ୍ତି ଯେ, ଡିଲିମିଟେସନ ପ୍ରକ୍ରିୟାରେ ଓଡ଼ିଶାର ରାଜନୈତିକ ଅଧିକାର ଓ ସଂସଦୀୟ ପ୍ରତିନିଧିତ୍ୱ ଯେପରି ପ୍ରଭାବିତ ନହୁଏ, ତାହା ଦଳର ପ୍ରମୁଖ ଚିନ୍ତା ରହିବ। ତେବେ ଏହି ବିଲ୍କୁ ନେଇ ବିଜେଡିର ଚୂଡ଼ାନ୍ତ ଆଭିମୁଖ୍ୟ କ'ଣ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।