ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ନେଇ ଜାତୀୟ ରାଜନୀତିରେ ହଲଚଲ୍। କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ପରେ ଏବେ ଆକ୍ସନ୍ ମୋଡ୍ରେ ବିରୋଧୀ ଇଣ୍ଡି ମେଣ୍ଟ। ଆଗାମୀ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାରଙ୍କୁ କିପରି ଘେରିବେ, ସେନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆଜି ହେବାକୁ ଯାଉଛି ହାଇଭୋଲଟେଜ୍ ବୈଠକ।
ବିଲ୍କୁ ବିରୋଧ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହେବେ ନା ନିଜ ନିଜ ରାଜନୈତିକ ଆଭିମୁଖ୍ୟ ନେଇ ଅଲଗା ରାସ୍ତା ଧରିବେ, ତାହା ଏବେ ବଡ଼ ପ୍ରଶ୍ନବାଚି ଛିଡା କରିଛି, କାରଣ ଏନସିପି (ଏସ୍ପି)ର ସର୍ତ୍ତମୂଳକ ସମର୍ଥନ ଘୋଷଣା ପରେ ଇଣ୍ଡି ମେଣ୍ଟର ଏକତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେହିପରି ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ ମଧ୍ୟ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିପାରନ୍ତି ବୋଲି ଆଲୋଚନା ହେଉଛି।
ପ୍ରସ୍ତାବିତ ନୂଆ ଢାଞ୍ଚାରେ ଦେଶର ସମସ୍ତ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାର ଯୋଜନା ରହିଛି। ଏଥିସହ ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଆନୁପାତିକ ପ୍ରତିନିଧିତ୍ୱ ବଜାୟ ରଖିବାକୁ କେନ୍ଦ୍ରର ପ୍ରସ୍ତାବ ରହିଛି।
ଅନ୍ୟପଟେ, ପୂର୍ବରୁ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ଅଭାବରୁ ବିଲ୍ ଅଟକିଥିବାରୁ ଏଥର ସରକାରଙ୍କ ପାଇଁ ମଧ୍ୟ ରାସ୍ତା ସହଜ ନୁହେଁ। ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଖଡ଼ଗେଙ୍କ ବୈଠକ ଉପରେ ସମସ୍ତଙ୍କ ନଜର ଅଟକିଛି।