ନୂଆଦିଲ୍ଲୀ: ମହିଳା ସଂରକ୍ଷଣକୁ ନେଇ ଜାତୀୟ ରାଜନୀତି ସରଗରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ‘ନାରୀ ଶକ୍ତି’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣର ସଙ୍କଳ୍ପ ଦୋହରାଇବା ପରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ମହିଳା ସଂରକ୍ଷଣ ବିଲ୍କୁ କିଛି ସଂଶୋଧନ ସହ ଅନୁମୋଦନ କରିଛି।
ଡିଲିମିଟେସନକୁ ନେଇ ବଡ଼ ପରିବର୍ତ୍ତନ
ଏହି ବିଲ୍ରେ ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍ ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଥିବା ଚର୍ଚ୍ଚା ହେଉଛି। ଡିଲିମିଟେସନ୍ ପରେ ଲୋକସଭାରେ କୌଣସି ରାଜ୍ୟର ପ୍ରତିନିଧିତ୍ୱ ଅନ୍ୟ ରାଜ୍ୟ ତୁଳନାରେ ହ୍ରାସ ନ ପାଉ, ତାହାକୁ ଧ୍ୟାନରେ ରଖି ସଂଶୋଧନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି।
ନଭେମ୍ବର ୩୦ରୁ ସଂସଦରେ ଆରମ୍ଭ ହେବ ଲଢ଼େଇ
ସୋମବାର, ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବିଲ୍କୁ ପାରିତ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆବଶ୍ୟକ ସାଂସଦଙ୍କ ସମର୍ଥନ ଥିବା ଶାସକ ପକ୍ଷ ଦାବି କରୁଛି।
ଦୁଇ-ତୃତୀୟାଂଶ ସମର୍ଥନ ହେବ ବଡ଼ ଚ୍ୟାଲେଞ୍ଜ
ସାମ୍ବିଧାନିକ ସଂଶୋଧନ ବିଲ୍ ପାରିତ ପାଇଁ ସଂସଦର ଉଭୟ ଗୃହରେ ଉପସ୍ଥିତ ଓ ମତଦାନ କରୁଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସମର୍ଥନ ସହ ଗୃହର ମୋଟ ସଦସ୍ୟ ସଂଖ୍ୟାର ଅଧିକାଂଶ ସମର୍ଥନ ଆବଶ୍ୟକ। DMK, NCP ଓ BRS ବିଲ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ INDIA ମେଣ୍ଟର ଆଭିମୁଖ୍ୟକୁ ନେଇ ରାଜନୈତିକ ଉତ୍କଣ୍ଠା ବଢ଼ିଛି।
ଶନିବାର ବିରୋଧୀଙ୍କ ବୈଠକ
ବିଲ୍କୁ ନେଇ ନିଜର ରଣନୀତି ପ୍ରସ୍ତୁତ କରିବାକୁ ବିରୋଧୀ ମେଣ୍ଟର ନେତାମାନେ ଶନିବାର ବୈଠକ କରିବେ। ତେଣୁ ଆଗାମୀ ସଂସଦୀୟ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍କୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ରାଜନୈତିକ ଲଢ଼େଇ ଦେଖିବାକୁ ମିଳିପାରେ। ଏବେ ସମସ୍ତଙ୍କ ନଜର ସଂସଦ ଉପରେ। ମହିଳାଙ୍କ ରାଜନୈତିକ ଭାଗିଦାରୀକୁ ନୂଆ ଦିଗ ମିଳିବ ନା ଏହି ବିଲ୍କୁ ନେଇ ପୁଣି ରାଜନୈତିକ ଟଣାଓଟରା ହେବ? ଅପେକ୍ଷା ନଭେମ୍ବର ୩୦କୁ।