ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟକୁ ଏକ ବଡ଼ ଝଟକା ଲାଗିପାରେ । ସୀମା ପୁନଃନିର୍ଦ୍ଧାରଣ ବିଧେୟକକୁ ନେଇ କଂଗ୍ରେସ ସାଂସଦ ମନୋଜ କୁମାର ବଡ଼ ଦାବି କରିଛନ୍ତି । ମୋଦୀ ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ବିଧେୟକକୁ ଡିଏମକେ ସମର୍ଥନ ଜଣାଇପାରନ୍ତି ବୋଲି ସେ ସଙ୍କେତ ଦେଇଛନ୍ତି । ସେପଟେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ମଧ୍ୟ ଏହି ବିଲକୁ ସଂସଦରେ ସମର୍ଥନ କରିବା ନେଇ ସୂତ୍ରରୁ ପ୍ରକାଶ । ତେବେ ଉଭୟ ଦଳ କିଛିଟା ସର୍ତ୍ତ ରଖିଛନ୍ତି ।
କଂଗ୍ରେସ ସାଂସଦ ମନୋଜ କୁମାର କହିଛନ୍ତି ଯେ ବୁଧବାର ଷ୍ଟାଣ୍ଡିଂ କମିଟି ବୈଠକରେ ଡିଏମକେର କିଛି ସାଂସଦଙ୍କ ସହିତ ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ ଆଲୋଚନା ହୋଇଥିଲା । ସେମାନେ ବିଲକୁ ସମର୍ଥନ କରିପାରନ୍ତି କିନ୍ତୁ କିଛିଟା ସର୍ତ୍ତ ରଖିଛନ୍ତି । ସେହିପରି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ସହିତ କୌଣସି ସାଲିସ କରାଯିବ ନାହିଁ । ତେବେ ମନୋଜ କୁମାର ସର୍ତ୍ତ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାଁନ୍ତି ।
ୱାଇଏସ୍ଆର୍ କଂଗ୍ରେସ ଦଳର ସୂତ୍ରଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ବିଲ୍ ସଂସଦରେ ଉପସ୍ଥାପନ କରାଯାଏ, ତେବେ ଦଳ ଏହାକୁ ସମର୍ଥନ କରିବ।
ଲୋକସଭା ସଚିବାଳୟରେ ବିବୃତ୍ତି ଅନୁଯାୟୀ, ୧୮ତମ ଲୋକସଭାର ଅଷ୍ଟମ ଅଧିବେଶନର ଦ୍ୱିତୀୟ ଭାଗ ନଭେମ୍ବର ୩୦ ତାରିଖ ସୋମବାର ଦିନ ଆରମ୍ଭ ହେବାକୁ ଯାଉଛି । ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଚାରି ଦିନିଆ ସଂକ୍ଷିପ୍ତ ଅଧିବେଶନ ରଖାଯାଇଛି । ଯାହା ଡିସେମ୍ବର ୩ ତାରିଖ ଗୁରୁବାର ଦିନ ଶେଷ ହେବ ବୋଲି ଆଶା କରାଯାଉଛି।