ନୂଆଦିଲ୍ଲୀ: ଡିଲିମିଟେସନ୍ ବିଲ୍କୁ ନେଇ ଜାରି ରହିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏବେ ଶରଦ ପାୱାରଙ୍କ ଦଳ ବଡ଼ ଘୋଷଣା କରିଛି। ସଂସଦରେ ଏହି ବିଲ୍କୁ ସମର୍ଥନ କରିବ NCP (ଶରଦଚନ୍ଦ୍ର ପାୱାର)। ଶରଦ ପାୱାରଙ୍କ ସହ ଆଲୋଚନା ପରେ ବିଧାୟକ ଜିତେନ୍ଦ୍ର ଆହ୍ୱାଡ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ନିର୍ବାଚନମଣ୍ଡଳୀର ପୁନର୍ଗଠନ ଏକ ଆବଶ୍ୟକ ପ୍ରକ୍ରିୟା। ତେଣୁ ଡିଲିମିଟେସନ୍କୁ ନେଇ ଶରଦ ପାୱାର ସକାରାତ୍ମକ ମତ ରଖିଛନ୍ତି। ଲୋକସଭାରେ ଏହି ଦଳର ୮ ଜଣ ସାଂସଦ ରହିଛନ୍ତି।
ବିଲ୍ ପାସ୍ ପାଇଁ ସରକାରଙ୍କୁ ଦରକାର ଦୁଇ-ତୃତୀୟାଂଶ ସମର୍ଥନ
ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବାକୁ ସଂସଦର ଉଭୟ ସଦନରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ଲୋକସଭାରେ ସରକାରଙ୍କୁ ୩୬୦ଟି ଭୋଟ୍ ଦରକାର ଥିବାବେଳେ NDA ପାଖରେ ପ୍ରାୟ ୩୨୦ଟି ଭୋଟ୍ ରହିଛି। ଅର୍ଥାତ୍ ଆହୁରି ୪୦ଟି ଭୋଟ୍ ଯୋଗାଡ଼ କରିବାକୁ ପଡ଼ିବ। ରାଜ୍ୟସଭାରେ ମଧ୍ୟ ସରକାରଙ୍କ ପାଇଁ ରାସ୍ତା ସହଜ ନୁହେଁ। ଏଠାରେ ବିଲ୍ ପାସ୍ ପାଇଁ ୧୬୩ଟି ଭୋଟ୍ ଆବଶ୍ୟକ ଥିବାବେଳେ NDA ପାଖରେ ୧୫୨ଟି ଭୋଟ୍ ରହିଛି।
କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
ଡିଲିମିଟେସନ୍କୁ ନେଇ ବିବାଦ ମଧ୍ୟରେ ନଭେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ଡିଲିମିଟେସନ୍ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍କୁ ମଞ୍ଜୁରୀ ମିଳିଛି।
ଖାଲି ଆସନ ଓ ନିଲମ୍ବନ ଯୋଗୁଁ ବଦଳିପାରେ ଗଣିତ
ଲୋକସଭାର ମୋଟ ୫୪୩ଟି ଆସନ ମଧ୍ୟରୁ ୩ଟି ଖାଲି ରହିଛି। ଅନ୍ୟପଟେ ଦୁଇ ଜଣ ସାଂସଦ ଜେଲ୍ରେ ଥିବାବେଳେ ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀ ନିଲମ୍ବିତ ହୋଇଛନ୍ତି।
ଏହି ସବୁ ପରିସ୍ଥିତିକୁ ଦେଖି ଭୋଟିଂ ସମୟରେ ସଦନର ପ୍ରଭାବୀ ସଂଖ୍ୟା କମିପାରେ। ଏପରି ହେଲେ ବିଲ୍ ପାସ୍ ପାଇଁ ଆବଶ୍ୟକ ଭୋଟ୍ ସଂଖ୍ୟା ମଧ୍ୟ ବଦଳିପାରେ। ଏବେ ଡିଲିମିଟେସନ୍ ବିଲ୍କୁ ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ସରକାରଙ୍କ ରଣନୀତି ନିର୍ଭର କରିବ।