କଟକ : କାର ସହ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। କଟକ ଉପକଣ୍ଠ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ଜଳନ୍ତା କାର୍ ନିକଟରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟରୁ ବେଣ୍ଟୁଆ ଗ୍ରାମକୁ ସଂଯୋଗ କରୁଥିବା ଏକ ନିଛାଟିଆ ରାସ୍ତାରେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ ରାସ୍ତା କଡ଼ରେ ଏକ କାର୍ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ କାର୍ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା।
ଜଳନ୍ତା କାର୍ଠାରୁ ପ୍ରାୟ ୪ରୁ ୫ ଫୁଟ ଦୂରରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ,କିନ୍ତୁ ଜଳିଯାଇଥିବା କାର୍ର ନମ୍ବର ପ୍ଲେଟ୍ (OD-05-BV-9945) କଟକର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ତେବେ କାର୍ ବାହାରେ ମୃତଦେହ ପଡ଼ିଥିବାରୁ ଏହା ଏକ ଦୁର୍ଘଟଣା, ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହାକୁ ନେଇ ସନ୍ଦେହ ବଢ଼ିଛି। ବାରଙ୍ଗ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।