କଟକ: ସାହି ବିବାଦରୁ ରକ୍ତାକ୍ତ ସଂଘର୍ଷ। ଜଣଙ୍କ ମୃତ୍ୟୁ ପରେ ପୁରୀଘାଟ ଅଞ୍ଚଳରେ ଉତ୍ତେଜନା। ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ପୁଲିସ୍ କମିଶନର ଏସ୍. ଦେବଦତ୍ତ ସିଂ। ଘଟଣାରେ ପୁଲିସ୍ର କୌଣସି ଅବହେଳା ରହିଛି କି ନାହିଁ, ସେନେଇ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଦୁଇ ସାହି ମଧ୍ୟରେ ଭୟଙ୍କର ସଂଘର୍ଷ
ସୂଚନା ଅନୁଯାୟୀ, କଟକର ଗଣେଶ ଘାଟ ଓ ବୁରୁଜ ସାହି ମଧ୍ୟରେ ବିବାଦକୁ ନେଇ ଗତକାଲି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷ ମଧ୍ୟରେ ଢେଲା ଓ ବୋତଲ ମାଡ଼ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ପୁଲିସ୍ ହାବିଲଦାରଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଜଣଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା
ସାହି ସାହି ମଧ୍ୟରେ ଲାଗି ରହିଥିବା ବିବାଦରୁ ଜଣଙ୍କ ମୃତ୍ୟୁ ହେବା ପରେ ପୁରୀଘାଟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
୨୧ ଜଣ ଅଟକ, ପୁଲିସ୍ର ତଦନ୍ତ ଜାରି
ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ୍ ୨୧ ଜଣଙ୍କୁ ଅଟକ ରଖିଛି। ଅନ୍ୟପଟେ, ଘଟଣା ପୂର୍ବରୁ ପୁଲିସ୍ କିଭଳି ପଦକ୍ଷେପ ନେଇଥିଲା ଏବଂ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହାର ତଦନ୍ତ କରାଯିବ।
ପୁଲିସ୍ କମିଶନରଙ୍କ ୪୮ ଘଣ୍ଟିଆ ଡେଡ୍ଲାଇନ୍ ପରେ ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ। କଟକରେ ଶାନ୍ତି ଫେରାଇ ଆଣିବା ସହ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।