ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଉତ୍ତରା ପବନର ପ୍ରଭାବରେ ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ଆଗାମୀ ଦୁଇ ଦିନରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ଥିବାରୁ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଗୁରୁବାର ରାତିରେ ଜି.ଉଦୟଗିରିରେ ସର୍ବନିମ୍ନ ୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୧୧.୫, ଝାରସୁଗୁଡ଼ାରେ ୧୧.୮ ଓ ଫୁଲବାଣୀରେ ୧୨ ଡିଗ୍ରୀ ରହିଥିଲା।
ଉପକୂଳ ଅଞ୍ଚଳ ମଧ୍ୟ ଶୀତରୁ ବାଦ୍ ପଡ଼ିନାହିଁ। କଟକରେ ୧୫.୨, ବାଲେଶ୍ୱରରେ ୧୫, ଭୁବନେଶ୍ୱରରେ ୧୬.୪ ଓ ବାରିପଦାରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୧.୫ରୁ ୨.୫ ଡିଗ୍ରୀ କମ୍ ରହିଛି ପାରଦ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅନ୍ୟପଟେ ଶନିବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ହେବାର ଆଶଙ୍କା ରହିଛି।
Also Read: ବଢ଼ିଲା ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା, ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା